Categories: ଜାତୀୟ

ଓସ୍‌ମାନିଆ ବିଶ୍ୱବିଦ୍ୟାଳୟ ପ୍ରଫେସର ଗିରଫ; ମାଓବାଦୀଙ୍କ ସହ ସମ୍ପର୍କ ଥିବା ଅଭିଯୋଗ

ହାଇଦ୍ରାବାଦ,୧୮।୧(ପି.ଟି.): ମାଓବାଦୀଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଓସ୍‌ମାନିଆ ବିଶ୍ୱବିଦ୍ୟାଳୟର ଆସୋସିଏଟ୍‌ ପ୍ରଫେସର(ତେଲୁଗୁ ବିଭାଗ) ସି. କାସିମ୍‌ଙ୍କୁ ଶନିବାର ଗିରଫ କରାଯାଇଛି। ୨୦୧୫ରେ ମୁଗୁଲୁ ଥାନାରେ ତାଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା। ଏହି ଘଟଣାର ତଦନ୍ତ ଚାଲିଛି ଓ କିଛି ତଥ୍ୟ ହସ୍ତଗତ ହୋଇଛି ବୋଲି ସିଦ୍ଦିପେଟ ପୋଲିସ କମିଶନର ଡି. ଜୋଏଲ ଡାଭିସ୍‌ ପ୍ରକାଶ କରିଛନ୍ତି। ସର୍ଚ୍ଚ ଓ୍ବାରେଣ୍ଟ ବଳରେ ଶନିବାର ସକାଳେ ତାଙ୍କ ବାସଭବନ ଖାନ୍‌ତଲାସ୍‌ କରାଯାଇଛି। ସେଠାରୁ କେତେକ ଆପତ୍ତିଜନକ କାଗଜପତ୍ର ସହ ଇଲେକ୍ଟ୍ରୋନିକ୍ସ ତଥ୍ୟ ସଂଗ୍ରହ କରାଯାଇଥିବା ପ୍ରକାଶ। ତେଲଙ୍ଗାନାରେ ମାଓବାଦୀଙ୍କ ସଙ୍ଗଠକ ଭାବେ ସେ କାର୍ଯ୍ୟକରିବା ସହ ଅର୍ଥ ଯୋଗାଣ କ୍ଷେତ୍ରରେ ସହଯୋଗ କରିଆସୁଥିବା ଘଟଣା ଲୋକଲୋଚନକୁ ଆସିଛି। କାସିମ୍‌ଙ୍କୁ ଖୁବ୍‌ଶୀଘ୍ର ଗଜ୍‌ଓ୍ବେଲସ୍ଥିତ ସ୍ଥାନୀୟ କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି। ସେପଟେ ଅଯଥାରେ ବୁଦ୍ଧିଜୀବୀଙ୍କୁ ଗିରଫ କରାଯାଇ ହଇରାଣ କରାଯାଉଥିବା ସିପିଆଇର ବରିଷ୍ଠ ନେତା ନାରାୟଣ ଅଭିଯୋଗ କରିଛନ୍ତି। ପ୍ରକାଶଥାଉ କି, ମାଓବାଦୀଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଗତବର୍ଷ ଓସ୍‌ମାନିଆ ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର କେ. ଜଗନ୍‌ ଓ ବିପ୍ଳବ ରଚୟିତାଲା ସଙ୍ଗମ୍‌ର ଜଣେ ସଦସ୍ୟଙ୍କୁ ସେମାନଙ୍କ ବାସଭବନରୁ ଉଠାଇ ନିଆଯାଇଥିଲା। ଭୀମା କୋରେଗାଓଁ ମାମଲାରେ ପୋଲିସ ୨୦୧୮ରେ ତେଲୁଗୁ କବି ପି. ବର୍‌ବରା ରାଓ ଓ ବିପ୍ଲବ ରଚୟିତାଲା ସଙ୍ଗମ୍‌ର ନେତାଙ୍କୁ ଗିରଫ କରିଥିଲା।

Share