Categories: ଖେଳ

ଓସିଏ କର୍ମକର୍ତ୍ତା ନିର୍ବାଚନ: ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶିତ; ୫ ପଦବୀ ପାଇଁ ୧୦ ପ୍ରାର୍ଥୀ

କଟକ ଅଫିସ,୨୩ା୯-  ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ନିର୍ବାଚନ ନିମନ୍ତେ ରବିବାର ଘୋଷଣା ହୋଇଛି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ୫ ପଦବୀରେ ଏବେ ସାମ୍ନାସାମ୍ନି ହେବେ ୧୦ ପ୍ରାର୍ଥୀ । ସଭାପତି ଓ ସମ୍ପାଦକ ପଦବୀରେ ହେବ କଡା ଟକ୍କର । ସଭାପତି ପଦବୀ ନିମନ୍ତେ ପଙ୍କଜ ଲୋଚନ ମହାନ୍ତି ଓ ପ୍ରଦୀପ ଚୌହ୍ବାନ, ସମ୍ପାଦକ ପଦବୀ ନିମନ୍ତେ ନବରଞ୍ଜନ ପଟ୍ଟନାୟକ ଓ ସଞ୍ଜୟ ବେହେରାଙ୍କ ମଧ୍ୟରେ ଲଢ଼େଇ ହେବ। ଅନ୍ୟପକ୍ଷରେ ଗୋଟିଏ ପଦବୀରେ ନିର୍ବାଚନ ହେବାର ଆବଶ୍ୟକତା ରହିନି। ଆପେକ୍ସ କାଉନସିଲ ପଦବୀରେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ଆଶୀର୍ବାଦ ବେହେରା ଗୋଷ୍ଠୀର ସମର୍ଥିତ ପ୍ରାର୍ଥୀ ଶୁଭାଶିଷ ସେନାପତି । ଆସନ୍ତା ୨୭ ତାରିଖରେ ନିର୍ବାଚନ ହେବ। ତେଣୁ ଆସନ୍ତା ୪ଦିନ ଅଙ୍କକଷା ଜୋରଦାର ହେବ।
ରବିବାର ଅପରାହ୍ନରେ ନିର୍ବାଚନ ଅଧିକାରୀ ମାଖନଲାଲ ମଜୁମଦାର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ। ଏହା ପୂର୍ବରୁ ଯୁଗ୍ମ ସମ୍ପାଦକ ପଦବୀ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ସୁନ୍ଦରଗଡ଼ ଜିଲାର ପ୍ରତିନିଧି ପ୍ରଭାତ କୁମାର ଭୋଳ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିଲେ । ଆଶୀର୍ବାଦଙ୍କ ଗୋଷ୍ଠୀ ପକ୍ଷରୁ ଯୁଗ୍ମ ସମ୍ପାଦକ ପଦବୀ ନିମନ୍ତେ ଗତ ଶୁକ୍ରବାର ୨ଜଣ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ଜଣେ ହେଲେ ଝାରସୁଗୁଡ଼ା ଜିଲାର ପ୍ରତିନିଧି ମେହତାବ ଖାନ ଓ ଅନ୍ୟଜଣେ ପ୍ରଭାତ । ଯୁଗ୍ମ ସମ୍ପାଦକ ପଦବୀରେ ମେହତାବଙ୍କୁ ଲଢ଼ିବାର ସୁଯୋଗ ଦେଇ ପ୍ରଭାତ ଓହରି ଯାଇଛନ୍ତି । ଏହି ପଦବୀରେ ପ୍ରଦୀପଙ୍କ ଗୋଷ୍ଠୀ ପକ୍ଷରୁ ଆଶାୟୀ ପ୍ରାର୍ଥୀ ରହିଛନ୍ତି ଦେବଗଡ଼ ଜିଲାର ପ୍ରତିନିଧି ସୁଜିତ କୁମାର ପ୍ରଧାନ। ସଭାପତି ପଦବୀରେ ବୌଦ୍ଧ ଜିଲାରୁ ପ୍ରତିନିଧି ହୋଇ ଆସିଥିବା ପଙ୍କଜଙ୍କର ଲଢ଼େଇ ହେବ କଟକର ୟୁନିୟନ ସ୍ପୋର୍ଟିଂ କ୍ଲବ ସମ୍ପାଦକ ତଥା ବରିଷ୍ଠ କ୍ରୀଡ଼ା ସଙ୍ଗଠକ ପ୍ରଦୀପଙ୍କ ସହିତ। ଅନ୍ୟପକ୍ଷରେ ଆଶୀର୍ବାଦଙ୍କ ପୁଅ ସଞ୍ଜୟ ସମ୍ପାଦକ ପଦବୀରେ ମଙ୍ଗଳା କ୍ଲବରୁ ପ୍ରତିନିଧି ହୋଇଥିବା ନବରଞ୍ଜନ ପଟ୍ଟନାୟକଙ୍କ ସହ ଲଢ଼ିବେ । ଉପସଭାପତି ପଦବୀରେ ଅକ୍ଷୟ କୁମାର ସାମନ୍ତ ଓ ପ୍ରଶାନ୍ତ ପ୍ରସାଦ ପଟ୍ଟନାୟକ, ଯୁଗସମ୍ପାଦକ ପଦବୀରେ ମେହତାବ ଖାନ ଓ ସୁଜିତ କୁମାର ପ୍ରଧାନ, କୋଷାଧ୍ୟକ୍ଷ ପଦବୀରେ ବିକାଶ ପ୍ରଧାନ ଓ ଅନୀଲ କୁମାର ବିଶ୍ୱାଳ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । କ୍ଲବ ଓ ଜିଲା ସଂଘର ଭୋଟ ଗୁଡ଼ିକୁ ହାତେଇବା ପାଇଁ ଉଭୟ ଗୋଷ୍ଠୀ ପ୍ରୟାସ ଜାରି ରଖିଥିବାବେଳେ ସ୍କୁଲ, କଲେଜ ଗୁଡ଼ିକର ଭୋଟକୁ ନେଇ ଉତ୍ସୁକତା ବଢ଼ିବାରେ ଲାଗିଛି।

Share