Categories: ଖେଳ

ଓସାକା ବିଶ୍ୱର ସବୁଠାରୁ ଆୟକାରୀ ମହିଳା ଆଥଲେଟ୍‌

ନ୍ୟୁୟର୍କ, ୨୩।୫: ଜାପାନର ମହିଳା ଟେନିସ ତାରକା ନାଓମି ଓସାକା ବିଶ୍ୱର ସବୁଠାରୁ ଅଧିକ ଆୟକାରୀ ମହିଳା ଆଥଲେଟ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହି କ୍ରମରେ ସେ ଆମେରିକାର ଅଭିଜ୍ଞ ମହିଳା ଟେନିସ ତାରକା ସେରେନା ଓ୍ବିଲିୟମ୍ସଙ୍କୁ ପଛରେ ପକାଇଛନ୍ତି। ୨୦୧୮ରେ ୟୁଏସ୍‌ ଓପନ୍‌ ଓ ୨୦୧୯ରେ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟାଇଟଲ ଜିତିଥିବା ୨୨ ବର୍ଷୀୟା ଓସାକା ଗତବର୍ଷ ପୁରସ୍କାର ରାଶି ତଥା ବିଜ୍ଞାପନ ମାଧ୍ୟମରେ ୩୭.୪ ମିଲିୟନ ଆମେରିକୀୟ ଡଲାର ବା ୨୮୪ କୋଟି ଟଙ୍କା ଆୟ କରିଥିଲେ। ସର୍ବାଧିକ ଆୟକାରୀ ଆଥଲେଟମାନଙ୍କୁ ନେଇ ଜଣାଶୁଣା ପତ୍ରିକା ଫୋବର୍‌ସ ମାଗାଜିନ୍‌ ଏକ ତାଲିକା ପ୍ରକାଶ କରିଛି। ଗତ ୧୨ ମାସ ମଧ୍ୟରେ ଓସାକା ସର୍ବାଧିକ ଆୟ କରିଛନ୍ତି। ଗତ ୪ ବର୍ଷଧରି ସେରେନା ଶୀର୍ଷରେ ରହିଆସୁଥିଲେ। ତେବେ ସେରେନାଙ୍କଠାରୁ ଓସାକା ଅଧିକ ୧.୪ ମିଲିୟନ ଡଲାର ଅର୍ଥ ଉପାର୍ଜନ କରିଛନ୍ତି। ୨୦୧୫ରେ ରୁଷିଆର ମାରିଆ ସାରାପୋଭା ୨୯.୭ ମିଲିୟନ ଆମେରିକୀୟ ଡଲାର ଆୟ କରି ରେକର୍ଡ କରିଥିଲେ। ତେବେ ସେରେନା ଓ ଓସାକା ସାରାପୋଭାଙ୍କ ରେକର୍ଡକୁ ଭାଙ୍ଗିବାରେ ସକ୍ଷମ ହୋଇଛନ୍ତି। ୧୯୯୦ରୁ ଫୋବର୍‌ସ ମାଗାଜିନ୍‌ରେ ସେରେନା ଏବଂ ୨୦୦୪ରୁ ସାରାପୋଭା ଶୀର୍ଷରେ ରହିଆସୁଥିଲେ।
୨୦୧୮ ୟୁଏସ୍‌ ଓପନ୍‌ ଫାଇନାଲରେ ସେରେନାଙ୍କୁ ହରାଇ ଟାଇଟଲ ଜିତିବା ସହ ଓସାକା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେରେନା ଏପର୍ଯ୍ୟନ୍ତ ୨୩ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି। ଆସନ୍ତାବର୍ଷ ଟୋକିଓ ଅଲିମ୍ପିକ୍ସରେ ଜାପାନର ପ୍ରତିନିଧିତ୍ୱ କରିବେ। ଫ୍ଲୋରିଡାରେ ରହୁଥିବା ଓସାକାଙ୍କ ମା ଜାପାନୀ ହୋଇଥିବା ବେଳେ ପିତା ହାଇତି- ଆମେରିକୀୟ। ଆକ୍ରମଣାତ୍ମକ ଶୈଳୀରେ ଖେଳୁଥିବା ଓସାକା ଏବେ ବିଶ୍ୱର ସବୁଠାରୁ ମାର୍କେଟେବଲ ଆଥଲେଟ ଭାବେ ଜଣାଶୁଣା। ଷ୍ଟାବଲ ମ୍ୟାନେଜମେଣ୍ଟ ଗ୍ରୁପ୍‌ ଆଇଏମ୍‌ଜି ସହିତ ସାମିଲ ଥିବା ଓସାକା ନାଇକ୍‌, ନିଶାନ ମୋଟର୍ସ, ଶିସେଇଡୋ ଓ ୟୋନେକ୍ସ ଭଲି ବିଶ୍ୱସ୍ତରୀୟ ବ୍ରାଣ୍ଡ୍‌ ସହିତ ଜଡିତ ରହିଛନ୍ତି।

Share