Categories: ଫୁରସତ

‘ଓମ୍‌ ଜୟ ଜଗଦୀଶ ହରେ’ର ଲେଖକ ଏହି କାରଣ ଲାଗି ଗାଁରୁ ହୋଇଥିଲେ ବିତାଡ଼ିତ

ଯେକୌଣସି କାର୍ଯ୍ୟକ୍ରମ ହେଉ କି ଧାର୍ମିକ ଅନୁଷ୍ଠାନ। ପ୍ରାରମ୍ଭରେ ‘ଓମ୍‌ ଜୟ ଜଗଦୀଶ ହରେ’ ଆରତି ଅବଶ୍ୟ ଗାନ କରାଯାଇଥାଏ। ପ୍ରତ୍ୟେକ ପୂଜାରେ ଏହି ମନ୍ତ୍ରର ଗୁରୁତ୍ୱ ରହିଛି। ଭଗବାନ ବିଷ୍ଣୁଙ୍କୁ ଆରାଧନା ସମୟରେ ଏହି ମନ୍ତ୍ର ଉଚ୍ଚାରଣ କରାଯାଇଥାଏ। କିନ୍ତୁ ଅଧିକାଂଶ ଲୋକ ଜାଣି ନ ଥାନ୍ତି ଏହାର ଲେଖକ କିଏ ଏବଂ ଏହି ମନ୍ତ୍ର ପାଇଁ ତାଙ୍କୁ କ’ଣ କଷ୍ଟ ସହିବାକୁ ପଡ଼ିଥିଲା। ଜାଣନ୍ତୁ ଏ ସମ୍ପର୍କରେ…


‘ଓମ୍‌ ଜୟ ଜଗଦୀଶ ହରେ’ର ଲେଖକ ହେଉଛନ୍ତି ପଣ୍ଡିତ ଶ୍ରଦ୍ଧାରାମ ଶର୍ମା। ତାଙ୍କର ଏହି ମନ୍ତ୍ରଟି ବେଶ୍‌ ଲୋକପ୍ରିୟ। ୧୮୩୭ରେ ପଞ୍ଜାବରେ ଜନ୍ମିତ ଶ୍ରଦ୍ଧାରାମ ଜଣେ ଧର୍ମ ପ୍ରଚାରକ, ଜ୍ୟୋତିଷୀ, ସ୍ବତନ୍ତ୍ର ସଂଗ୍ରାମୀ ସେନା, ସଂଗୀତଜ୍ଞ ତଥା ହିନ୍ଦୀ ଏବଂ ପଞ୍ଜାବୀର ପ୍ରସିଦ୍ଧ ସାହିତ୍ୟକାର। ସେ ପ୍ରଥମେ ହିନ୍ଦୀ ସାହିତ୍ୟରେ ଉପନ୍ୟାସ ‘ଭାଗ୍ୟବତୀ’ ରଚନା କରିଥିଲେ। ବ୍ରିଟିଶ ସରକାର ତାଙ୍କର ଏସବୁ ଲେଖାକୁ ବିରୋଧ କରୁଥିଲେ। ଯେଉଁଥିପାଇଁ ବ୍ରିଟିଶ ସରକାରଙ୍କ ନିର୍ଦ୍ଦେଶରେ ୧୮୬୫ରେ ତାଙ୍କୁ ଗାଁରୁ ତଡ଼ି ଦିଆଯାଇଥିଲା। ଏପରିକି ତାଙ୍କୁ ଆଖପାଖ ଗାଁରେ ପ୍ରବେଶ କରିବାର ସୁଯୋଗ ମଧ୍ୟ ଦିଆଯାଇ ନ ଥିଲା। କିନ୍ତୁ ତାଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନ ଥିଲା। ତାଙ୍କର ଲୋକପ୍ରିୟତା ଆହୁରି ବଢ଼ିଚାଲିଲା। ଫାଦର ନ୍ୟୁଟନ ଶ୍ରଦ୍ଧାରାମଜୀଙ୍କୁ ବହୁ ସମ୍ମାନ କରୁଥିଲେ। ତେଣୁ ସେ ବ୍ରିଟିଶ ସରକାରଙ୍କ ଏପରି ନିର୍ଦ୍ଦେଶ ପ୍ରତି ରୋକ ଲଗାଇଥିଲେ। ତାଙ୍କ ପ୍ରୟାସରେ ଶ୍ରଦ୍ଧାରାମ ପୁଣି ଗାଁକୁ ଫେରିଥିଲେ।
୧୮୭୦ରେ ଶ୍ରଦ୍ଧାରାମ ‘ଜୟ ଜଗଦୀଶ ହରେ’ ଆରତି ରଚନା କରିଥିଲେ। ଏହାପରେ ତାଙ୍କ ଲୋକପ୍ରିୟତା ଆହୁରି ବଢ଼ି ଯାଇଥିଲା। ସେ ଧାର୍ମିକ ବିଷୟ ଉପରେ ପ୍ରବଚନ ଦେବାରେ ଲାଗିଲେ। ଏହି ଆରତି ଯିଏ ଶୁଣୁଥିଲା, ସେ ମୁଗ୍ଧ ହୋଇ ଆଉ ଜଣଙ୍କୁ ଶୁଣାଉଥିଲା। ଏହିପରି ଭାବରେ ତାଙ୍କର ନାଁ ବେଶ୍‌ ସୁଖ୍ୟାତି ଅର୍ଜନ କରିଥିଲା। ଆଜି ବି ଏହି ମନ୍ତ୍ର ଘରେ ଘରେ ବେଶ୍‌ ପରିଚିତ। ପ୍ରତ୍ୟେକ ପୂଜାରେ ଏହି ମନ୍ତ୍ର ଉଚ୍ଚାରଣ କରାଯାଉଛି।

Share