ଓଭରବ୍ରିଜ୍‌ ମରାମତି ଦାବି ତେଜିଲା, ସିଭିଲ୍‌ ସୋସାଇଟିର ଗଣଧାରଣା

ବାଲେଶ୍ୱର ଅଫିସ, ୭।୯-ବାଲେଶ୍ୱର ଫକୀରମୋହନ ଗୋଲେଇସ୍ଥିତ ଓଭରବ୍ରିଜ୍‌ର ସୁରକ୍ଷା ଓ ମରାମତି ଦାବିରେ ରେଳଷ୍ଟେଶନ ନିକଟସ୍ଥ ପୂର୍ତ୍ତବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ସିଭିଲ ସୋସାଇଟି ପକ୍ଷରୁ ଗଣଧାରଣା ଦିଆଯାଇଥିଲା। ଏଥିରେ ସୋସାଇଟି ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଆବଶ୍ୟକ ମରାମତି ଅଭାବରୁ ଓଭରବ୍ରିଜ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହାର ତୁରନ୍ତ ମରାମତି କରାଯିବାକୁ ସମ୍ପାଦକ ମନୋଜ ନାୟକ ଦାବି କରିଥିଲେ। ପୂର୍ତ୍ତବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସଞ୍ଜିବ କୁମାର ମହାନ୍ତି ପହଞ୍ଚି ଧାରଣାକାରୀଙ୍କ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। ଓଭରବ୍ରିଜ୍‌ର ମରାମତି ପାଇଁ ଦିଲ୍ଲୀସ୍ଥିତ ହାର୍‌କୁଲେସ୍‌ ଷ୍ଟ୍ରକ୍ଚରାଲ୍‌ ସିଷ୍ଟମ୍‌ ପ୍ରା.ଲି.ର ଅଟକଳକୁ ଗ୍ରହଣ କରି ବିଭାଗୀୟ ମୁଖ୍ୟଯନ୍ତ୍ରୀ ଗତ ୩୧ତାରିଖରେ ଏ ବାବଦରେ ୪କୋଟି ୯୩ଲକ୍ଷ ୨୫ହଜାର ୭ଶହ ୪୨ଟଙ୍କା ମଞ୍ଜୁର କରିଛନ୍ତି। ଏ ସମ୍ପର୍କରେ ଜିଲା ପ୍ରଶାସନକୁ ଅବଗତ କରାଯାଇଛି। ପୋଲର ମରାମତି କାର୍ଯ୍ୟାରମ୍ଭ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବାକୁ ଜିଲାପାଳଙ୍କୁ ମଧ୍ୟ ଅନୁରୋଧ କରାଯାଇଛି ବୋଲି ଯନ୍ତ୍ରୀ ମହାନ୍ତି ସୂଚନା ଦେଇଥିଲେ। ଆଲୋଚନାକୁ ଭିତ୍ତି କରି ସିଭିଲ୍‌ ସୋସାଇଟି ତରଫରୁ ଚାଲିଥିବା ଗଣଧାରଣାକୁ ଅପରାହ୍ନରେ ପ୍ରତ୍ୟାହାର କରାଯାଇଥିଲା।
ପ୍ରତିଶ୍ରୁତି ଅନୁଯାୟୀ କାର୍ଯ୍ୟାରମ୍ଭ ନ ହେଲେ ସିଭିଲ୍‌ ସୋସାଇଟି ତରଫରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସୋସାଇଟି ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଗଣଧାରଣାରେ ବରିଷ୍ଠ ନାଗରିକ ମଞ୍ଚର ଜିଲା ସମ୍ପାଦକ ଲକ୍ଷ୍ମୀଧର ବେହେରାଙ୍କ ସମେତ ବିଭିନ୍ନ ସାମାଜିକ ଓ ଗଣସଙ୍ଗଠନ ତରଫରୁ ଚିତ୍ତରଞ୍ଜନ ସାହୁ, ଧୀରେନ୍ଦ୍ର ନାରାୟଣ ଦାସ, ଗୌରାଙ୍ଗ ପାଣିଗ୍ରାହୀ, ବସନ୍ତ ସ, ଶଶାଙ୍କ ଶେଖର ଦତ୍ତ, କବି ଶ୍ରୀଦେବ, ସାହିରୁଲ୍‌ ହକ୍‌, ନିରଞ୍ଜନ ପରିଡ଼ା, ନିରଞ୍ଜନ କୁମାର ଦାସ, ସୁଦର୍ଶନ ଦାସ ପ୍ରମୁଖ ସାମିଲ ହୋଇଥିଲେ।