Categories: ମେଟ୍ରୋ

ଓଡ଼ିଶା ସମବାୟ ନୀତିକୁ ଅନୁଧ୍ୟାନ କଲେ ପଞ୍ଜାବ ସରକାର

ଭୁବନେଶ୍ୱର, ୧।୮(ବ୍ୟୁରୋ): ଓଡ଼ିଶାର ପ୍ରାଥମିକ କୃଷି ସମବାୟ କ୍ଷେତ୍ରରେ କୋର ବ୍ୟାଙ୍କିଙ୍ଗ୍‌ ଜରିଆରେ ଋଣ ପ୍ରଦାନ ବ୍ୟବସ୍ଥାକୁ ପଞ୍ଜାବ ସରକାର ଅନୁଧ୍ୟାନ କରିଛନ୍ତି। ଏନେଇ ପଞ୍ଜାବ ସମବାୟ ମନ୍ତ୍ରୀ ସୁଖଜିନ୍ଦର ସିଂ ରନ୍ଧାଓ୍ବାଙ୍କ ନେତୃତ୍ବରେ ଏକ ୭ ଜଣିଆ ପ୍ରତିନିଧି ଦଳ ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି। ଏହି ଅବସରରେ ପ୍ରତିନିଧି ଦଳ ଓଡ଼ିଶା ରାଜ୍ୟ କୋଅପରେଟିଭ୍‌ ବ୍ୟାଙ୍କର କୋର ବ୍ୟାଙ୍କିଙ୍ଗ୍‌ ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିଛନ୍ତି । ସମବାୟ ବ୍ୟାଙ୍କଗୁଡ଼ିକ ଡିଜିଟାଇଜେଶନ୍‌ ଏବଂ ଧାନ କିଣିବା ବାବଦ ଅର୍ଥ ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ଚାଷୀମାନଙ୍କ ଆକାଉଣ୍ଟକୁ ସିଧାସଳଖ ପ୍ରେରଣ ସମ୍ପର୍କରେ ପଚାରି ବୁଝିଛନ୍ତି । ପଞ୍ଜାବ ପ୍ରତିନିଧି ଦଳ ଏହାକୁ ପଞ୍ଜାବ ସମବାୟ କ୍ଷେତ୍ରରେ ଲାଗୁ କରିବା ଦିଗରେ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି । ଗସ୍ତ କାଳରେ ପଞ୍ଜାବ ମନ୍ତ୍ରୀ ଏବଂ ତାଙ୍କ ପ୍ରତିନିଧି ଦଳ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ପରିଦର୍ଶନ ସହିତ ଶିଶୁପାଳଗଡ଼ସ୍ଥିତ ପ୍ରାଥମିକ କୃଷି ସମବାୟ ସମିତି ବୁଲି ଦେଖିଛନ୍ତି ା
ଏହି ଅବସରରେ ସେମାନେ ରାଜ୍ୟ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ତାଙ୍କ ବିଧାନସଭା ପ୍ରକୋଷ୍ଠରେ ସାକ୍ଷାତ କରିଛନ୍ତି। ଏହାସହ ତାଙ୍କୁ ପଞ୍ଜାବ ଗସ୍ତ ପାଇଁ ନିମନ୍ତ୍ରଣ କରିଥିବା ଜଣାପଡିଛି। ଏହି ଅବସରରେ ଉକ୍ତ ପ୍ରତିନିଧି ଦଳ ବିଧାନସଭା ପ୍ରଶ୍ନୋତ୍ତର ସମୟରେ ବାଚସ୍ପତିଙ୍କ ଗ୍ୟାଲେରିରେ ଉପସ୍ଥିତ ଥିଲେ। ରାଜ୍ୟ ମନ୍ତ୍ରୀଙ୍କ ସହ ପଞ୍ଜାବ ପ୍ରତିନିଧି ଦଳ ଆଲୋଚନା ସମୟରେ ଦୁଇ ରାଜ୍ୟ ମଧ୍ୟରେ ସମବାୟ କ୍ଷେତ୍ରରେ ସହଯୋଗ ବୃଦ୍ଧିକୁ ନେଇ ଗୁରୁତ୍ବାରୋପ କରାଯାଇଛି । ସମବାୟ କ୍ଷେତ୍ରରେ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ବୟ ରକ୍ଷା କରି ମିଳିତଭାବେ ସମାଧାନ ନିମନ୍ତେ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରସ୍ତାବ ଦେବା ଉପରେ ଆଲୋଚନା କରାଯାଇଛି। ଏହାଦ୍ବାରା ସମବାୟ କ୍ଷେତ୍ରକୁ ଅଧିକ ଶକ୍ତିଶାଳୀ ଓ କ୍ରିୟାଶୀଳ କରାଯାଇ ପାରିବ ବୋଲି ମତ ପ୍ରକାଶ ପାଇବ ବୋଲି ଦୁଇମନ୍ତ୍ରୀ ଆଲୋଚନା କରିଛନ୍ତି।