ଓଡ଼ିଶା ଫେଷ୍ଟରେ ସୁଦାମଙ୍କ ବାଲୁକା କଳା

ପୁରୀ ଅଫିସ, ୧୨।୧୧: ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ମୁମ୍ବାଇରେ ଆୟୋଜିତ ଓଡ଼ିଶା ଫେଷ୍ଟରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ବାଲୁକା କଳା ଏବଂ ସ୍ୟାଣ୍ଡ ଆନିମେଶନ ପ୍ରଦର୍ଶନ କରିଥିଲେ। ଗତ ୮, ୯ ଓ ୧୦ ତାରିଖ ତିନିଦିନ ଧରି ନଭି ମୁମ୍ବାଇର ସି ଉଡ୍ସ ଗ୍ରାଣ୍ଡ ସେଣ୍ଟ୍ରାଲ ମଲ୍‌ରେ ଆୟୋଜିତ ଏହି ଫେଷ୍ଟରେ ସୁଦାମଙ୍କ ବାଲୁକା କଳା ଓ ସ୍ୟାଣ୍ଡ ଆନିମେଶନ ବେଶ୍‌ ଆକର୍ଷଣ ପାଲଟିଥିଲା। ଲାଇଭ୍‌ ସ୍ୟାଣ୍ଡ ଆନିମେଶନରେ ସେ ଓଡ଼ିଶାର କଳା, ସଂସ୍କୃତିକୁ ଦର୍ଶାଇଥିଲେ। ସେହିପରି କୋଣାର୍କର ସୂର୍ଯ୍ୟ ମନ୍ଦିର ଏବଂ ଛତ୍ରପତି ଶିବାଜୀଙ୍କ ବାଲୁକା କଳା ମଧ୍ୟ ଦେଖଣାହାରୀଙ୍କୁ ଆକର୍ଷିତ କରିଥିଲା। ଏହି ଅବସରରେ ସୁଦାମଙ୍କୁ ବଲିଉଡ୍‌ର ଆକ୍ସନ ମାଷ୍ଟର ରାମ ସେଟ୍ଟୀ, ପ୍ରବାସୀ ଓଡ଼ିଆ ଆର୍‌.କେ. ମହାପାତ୍ର, ପ୍ରଣତି ମିଶ୍ର, ନିରଞ୍ଜନ ବିଶ୍ୱାଳ ପ୍ରମୁଖ ସମ୍ମାନିତ କରିଥିଲେ।