ଓଡ଼ିଶା ପୋଲିସର ୩୫୩ ଏଏସ୍‌ଆଇଙ୍କୁ ପଦୋନ୍ନତି

କଟକ ଅଫିସ, ୭ା୯- ରାଜ୍ୟର ବିଭିନ୍ନ ଜିଲାରେ କାର୍ଯ୍ୟରତ ୩୫୩ ଜଣ ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର(ଏଏସ୍‌ଆଇ)ଙ୍କୁ ଇନ୍ସପେକ୍ଟର ପଦବୀକୁ ପଦୋନ୍ନତି କରାଯାଇଛି। ଶନିବାର ଏ ନେଇ ରାଜ୍ୟ ପୋଲିସ ମୁଖ୍ୟାଳୟରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଡିଜିପି ବିଜୟ କୁମାର ଶର୍ମାଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପୋଲିସର କେନ୍ଦ୍ରୀୟ ମନୋନୟନ ବୋର୍ଡ ଗତ ୬ରେ ଏହି ପଦୋନ୍ନତିକୁ ସ୍ବୀକୃତି ପ୍ରଦାନ କରିଥିଲା। ପଦୋନ୍ନତି ପାଇଥିବା ଅଧିକାରୀଙ୍କ ମଧ୍ୟରେ ୨୭୩ ଜଣ ସାଧାରଣ ବର୍ଗ, ୬୭ଜଣ ଅନୁସୂଚିତ ଜାତି ବର୍ଗର ଓ ୧୩ଜଣ ଅନୁସୂଚିତ ଜନଜାତି ବର୍ଗର ରହିଛନ୍ତି। ଏହି ଅଧିକାରୀମାନଙ୍କୁ ଅନୁଗୋଳଠାରେ ଥିବା ପୋଲିସ ପ୍ରଶିକ୍ଷଣ କେନ୍ଦ୍ର(ପିଟିସି)ରେ ୬ମାସ ପର୍ଯ୍ୟନ୍ତ ତାଲିମ ଦିଆଯିବ। ସମସ୍ତ ଅଧିକାରୀଙ୍କୁ ଆସନ୍ତା ୧୫ ସୁଦ୍ଧା ପିଟିସିରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବିଭାଗୀୟ ପଦୋନ୍ନତି କମିଟିର ଅନୁମୋଦନକ୍ରମେ ଓଡ଼ିଶା ପୋଲିସରେ କାର୍ଯ୍ୟରତ ୧୩ ଜଣ ବିଶିଷ୍ଟ ସହାୟକ ଓ କନିଷ୍ଠ ହେଡ୍‌କ୍ଲର୍କଙ୍କୁ ହେଡ୍‌ କ୍ଲର୍କ ପଦକୁ ପଦୋନ୍ନତି କରାଯାଇଛି।