ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ବିଶ୍ୱ ପର୍ଯ୍ୟଟନ ଦିବସ: ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଗୁରୁତ୍ୱ

ଭୁବନେଶ୍ୱର, ୨୮।୯(ବ୍ୟୁରୋ): ପର୍ଯ୍ୟଟନ ଶିଳ୍ପ କ୍ଷେତ୍ରରେ ନିଯୁକ୍ତିର ବିପୁଳ ସୁଯୋଗ ରହିଛି। ଟୁରିଜମ୍‌ ଓ ଟ୍ରାଭେଲ ଇଣ୍ଡଷ୍ଟ୍ରିରୁ ହୋଟେଲ ଏବଂ ଆମ୍ୟୁଜମେଣ୍ଟ୍‌ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ, ସବୁକ୍ଷେତ୍ରରେ ଯୁବପିଢିଙ୍କ ପାଇଁ ରହିଛି ବ୍ୟାପକ ସୁଯୋଗ। ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ବିକାଶ କରି ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇଛି ପର୍ଯ୍ୟଟନ ବିଭାଗ। ଶୁକ୍ରବାର ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଅବସରରେ ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ଚଳିତବର୍ଷର ଥିମ୍‌ ‘ପର୍ଯ୍ୟଟନ ଓ ରୋଜଗାର: ସମସ୍ତଙ୍କ ପାଇଁ ଉତ୍ତମ ଭବିଷ୍ୟତ’ ଉପରେ ଗୁରୁତ୍ୱ ଦିଆଯାଇଛି। ବିଭାଗ ପକ୍ଷରୁ ସକାଳେ ପର୍ଯ୍ୟଟନ ପଦଯାତ୍ରା, ଅପରାହ୍ନରେ ଖାଦ୍ୟ ମହୋତ୍ସବ ଓ ସାରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା।
ଆୟୋଜିତ ଏହି ସ୍ବତନ୍ତ୍ର ପର୍ଯ୍ୟଟନ ପଦଯାତ୍ରାକୁ ବିଭାଗୀୟ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମାଷ୍ଟରକ୍ୟାଣ୍ଟିନ୍‌ଠାରେ ଶୁଭାରମ୍ଭ କରିଥିଲେ। ହୋଟେଲ୍‌ ଆଣ୍ଡ୍‌ ରେଷ୍ଟୁରାଣ୍ଟ୍‌ ଆସୋସିଏଶନ୍‌ ଅଫ୍‌ ଓଡ଼ିଶା (ଏଚ୍‌ଆର୍‌ଏଓ), ଓଡ଼ିଶା ଟ୍ରାଭେଲ୍‌ ଏଜେଣ୍ଟ ଆସୋସିଏଶନ୍‌, ଓଡ଼ିଶା ଟୁର ଅପରେଟର୍ସ ଆସୋସିଏଶନ୍‌, ଇଣ୍ଡିଆନ୍‌ ଆସୋସିଏଶନ୍‌ ଅଫ୍‌ ଟୁର ଅପରେଟର୍ସର ଓଡ଼ିଶା ରାଜ୍ୟ ଶାଖା, ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟୁରିଜମ୍‌ ଆଣ୍ଡ୍‌ ଟ୍ରାଭେଲ୍‌ ମ୍ୟାନେଜ୍‌ମେଣ୍ଟ, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ, ସ୍କେଟିଂ ଆସୋସିଏଶନ୍‌, ଟୁରିଜମ୍‌ ଆଣ୍ଡ ହସ୍‌ପିଟାଲ୍‌ ମ୍ୟାନେଜ୍‌ମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌ର ସଦସ୍ୟ ଏବଂ ଛାତ୍ରୀଛାତ୍ରମାନେ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ। ଓଡ଼ିଶା ପର୍ଯ୍ୟଟନ ନିଗମ(ଓଟିଡିସି)ର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ବିଭାଗୀୟ ଶାସନ ସଚିବ ବିଶାଳ ଦେବ, ନିର୍ଦ୍ଦେଶକ ନିର୍ମଳ ଚନ୍ଦ୍ର ମିଶ୍ର ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ମାଷ୍ଟରକ୍ୟାଣ୍ଟିନ୍‌ରୁ ବାହାରି ଏକାମ୍ର ହାଟଠାରେ ପଦଯାତ୍ରା ଶେଷ ହୋଇଥିଲା। ଏହି ଅବସରରେ ୫ଟି ଭିନ୍ନ ଭିନ୍ନ ସ୍ଥାନରେ ପ୍ରସ୍ତୁତ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।