Categories: ଖେଳ

ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌: ଡକ୍‌ଓ୍ବର୍ଥରେ ଜିତିଲା ପାନ୍ଥର୍ସ

ଭୁବନେଶ୍ୱର, ୧ା୧(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ରେ ଗୁରୁବାର ଗୋଟିଏ ମ୍ୟାଚ ସମ୍ଭବ ହୋଇଛି। ତେବେ ଫ୍ଲଡ୍‌ଲାଇଟ୍‌ରେ ସମସ୍ୟା ଯୋଗୁ ଡକ୍‌ଓ୍ବର୍ଥ ଲୁଇସ ନିୟମ ଅନୁସାରେ ଫଳାଫଳ ନିର୍ଣ୍ଣୟ କରାଯାଇଛି। ଏଥିରେ ଓଡ଼ିଶା ପାନ୍ଥର୍ସ ୨୪ ରନରେ ଚିତାସ୍‌କୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ପାନ୍ଥର୍ସ ୨୦ ଓଭରରେ ୯ ଉଇକେଟ ହରାଇ ୧୩୪ ରନ କରିଥଲା। ପରେ ଚିତାସକୁ ୧୦ ଓଭରରୁ ୮୩ ରନର ଟାର୍ଗେଟ ଦିଆ ଯାଇଥିଲା। ମାତ୍ର ଚିତାସ୍‌ ୧୦ ଓଭରରେ ୬ ଉଇକେଟ ହରାଇ ୫୮ ରନ କରିବାକୁ ସକ୍ଷମ ହୋଇଥିଲା। ସାଂଘାତିକ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିବା ଚିତାସ ପକ୍ଷରୁ ଅଭିଷେକ ରାଉତ ସର୍ବାଧିକ ୧୯ ରନ କରିବାକୁ ସକ୍ଷମ ହୋଇଥିଲେ। ପ୍ରତିପକ୍ଷ ଦଳର ଶୁଭମ୍‌ ନାୟକ ଓ ବସନ୍ତ ମହାନ୍ତି ୨ଟି ଲେଖାଏ ଏବଂ ପ୍ରଦୀପ ପ୍ରଧାନ ଓ ଆଲୋକ ସାହୁ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ପାନ୍ଥର୍ସର ବ୍ୟାଟ୍ସମ୍ୟାନମାନେ ମଧ୍ୟ ବିପକ୍ଷ ଦଳର ବୋଲରଙ୍କୁ ଠିକ୍‌ଭାବେ ମୁକାବିଲା କରିପାରି ନ ଥିଲେ। ଓପନର ଅଙ୍କିତ ସିଂ ୩୮ ରନ କରି ରନଆଉଟ ହୋଇଥିବାବେଳେ ଅଭିଷେକ ଯାଦବ ୩୬ ରନ କରିଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ କ୍ରିଜ୍‌ରେ ତିଷ୍ଠିପାରି ନ ଥିଲେ। ଚିତାସ୍‌ ବୋଲରଙ୍କ ମଧ୍ୟରେ ମନୋଜ ବାରିକ ନିଜ ୪ ଓଭର ସ୍ପେଲରେ ୨୪ ରନ ଦେଇ ୫ ଉଇକେଟ ସଫଳତା ପାଇଥିଲେ। ଅଭିଷେକ ରାଉତଙ୍କୁ ୨ଟି ଏବଂ ରାମଚନ୍ଦ୍ର ବେହେରାଙ୍କୁ ଗୋଟିଏ ଉଇକେଟ ମିଳିଥିଲା। ୨ ଓଭରରେ ୭ ରନ ଦେଇ ୨ଟି ଉଇକେଟ ନେଇଥିବା ବିଜୟୀ ଦଳର ଶୁଭମ୍‌ ନାୟକ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ। ପାନ୍ଥର୍ସ ୩ ମ୍ୟାଚରୁ ହ୍ୟାଟ୍ରିକ ବିଜୟ ସହ ୧୨ ପଏଣ୍ଟ ପାଇ ଟେବୁଲର ଶୀର୍ଷସ୍ଥାନ ଅଧିକାର କରିଛି। ଚିତାସ ୩ ମ୍ୟାଚରୁ ପ୍ରଥମ ପରାଜୟ ସହ ତୃତୀୟ ସ୍ଥାନରେ ରହିଛି।

Share