ଓଡ଼ିଶା ଆସିବେ ଜଗା କାଳିଆ, ସପ୍ତାହେ ଭିତରେ ହେବ ତାରିଖ ଘୋଷଣା

ଭୁବନେଶ୍ୱର, ୨୭ା୮(ବ୍ୟୁରୋ)- ଦିଲ୍ଲୀ ଏମ୍ସରେ ଅସ୍ତ୍ରୋପଚାର ମାଧ୍ୟମରେ ଅଲଗା ହୋଇ ଚିକିତ୍ସାଧୀନ ଥିବା ଯୋଡ଼ାମୁଣ୍ଡ ଶିଶୁ ଜଗା ଓ କାଳିଆ ଖୁବ୍‌ଶୀଘ୍ର ଓଡ଼ିଶା ଆସିବେ। ସେମାନଙ୍କର ପରବର୍ତ୍ତୀ ଚିକିତ୍ସା ଓ ରହଣି ପାଇଁ କଟକ ଏସ୍‌ସିବିରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ତେବେ ସେମାନେ କେବେ ଆସିବେ ତାହା ସପ୍ତାହକ ଭିତରେ ଘୋଷଣା ହେବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ କହିଛନ୍ତି। ଦୁହିଁଙ୍କ ଚିକିତ୍ସା ପାଇଁ ଏସ୍‌ସିବିରେ ଏକ ୬ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ଗଠନ କରାଯାଇଛି। ନ୍ୟୁରୋସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ସୁଧାଂଶୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟିମ୍‌ରେ ଶିଶୁରୋଗ ବିଭାଗ ମୁଖ୍ୟ ପ୍ରଫେସର ଜେ.ଏନ୍‌. ବେହେରା, ନ୍ୟୁରୋଲୋଜି ବିଭାଗ, ସର୍ଜରୀ ବିଭାଗ ଭଳି ଅନ୍ୟ ବିଭାଗର ମଧ୍ୟ ବରିଷ୍ଠ ଡାକ୍ତର ଏଥିରେ ସାମିଲ ଅଛନ୍ତି। ଦୁଇ ଭାଇଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ସହ ପ୍ରତିଟି ମୁହୂର୍ତ୍ତ ଉପରେ ଡାକ୍ତରୀ ଟିମ୍‌ ନଜର ରଖିବ। ଯଦି ଆବଶ୍ୟକ ପଡ଼େ, ଜଣେ ଡାଏଟିସିଆନ୍‌ ଓ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଶେଷଜ୍ଞଙ୍କୁ ମଧ୍ୟ ଏହି ଟିମ୍‌ରେ ରଖାଯିବ ବୋଲି ଏସ୍‌ସିବି ଜରୁରିକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣା ପୂର୍ବରୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୭ ଜୁଲାଇ ୧୪ରେ କନ୍ଧମାଳ ଜିଲା ମିଲିପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା କାଳିଆଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଅସ୍ତ୍ରୋପଚାର କରି ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା। ସେବେଠାରୁ ଏହି ଦୁଇ ଭାଇ ଏମ୍ସରେ ରହିଥିବାବେଳେ କିଛିଦିନ ତଳେ ଓଡ଼ିଶା ଆସିପାରିବେ ବୋଲି କର୍ତ୍ତୃପକ୍ଷ କହିଥିଲେ। ଏହାପରେ ଦୁଇଜଣଙ୍କୁ ଭୁବନେଶ୍ୱର ଏମ୍ସରେ ରଖିବା ପାଇଁ ସ୍ବାସ୍ଥ୍ୟ ବିଭାଗ ସ୍ଥିର କରି ଅନୁମତି ମାଗିଥିଲେ। କିନ୍ତୁ ଭୁବନେଶ୍ୱର ଏମ୍ସରୁ କୌଣସି ଉତ୍ତର ନ ମିଳିବାରୁ ଏସ୍‌ସିବିରେ ରଖିବା ପାଇଁ ନିଷ୍ପତ୍ତି ହୋଇଛି।