Posted inଫୁରସତ

ଓଡ଼ିଶାର କୁନି ତାରକା: ଯିଏ ପାଲଟିଛନ୍ତି ଅନ୍ୟ ପାଇଁ ଆଦର୍ଶ

ପିଲା ହେଉଛନ୍ତି ପ୍ରଜାପତି ପରି। ମନ ସେମାନଙ୍କର ଚାହେଁ ଉଡ଼ି ବୁଲିବାକୁ, ଆଉ ଛୁଇଁବାକୁ ଦୂର ଦିଗ୍‌ବଳୟ। ବେଳେବେଳେ ସେଇ ଝୁଙ୍କ୍‌ରେ ସେମାନେ ନିଜର ସମସ୍ତ ଶକ୍ତି ଓ ବୁଦ୍ଧି ଲଗାଇଦିଅନ୍ତି। ଆଉ ପହଞ୍ଚିଯାଆନ୍ତି ଶୀର୍ଷରେ। ପାଲଟିଯାଆନ୍ତି ଅନ୍ୟମାନଙ୍କ ପାଇଁ ଆଦର୍ଶ। ଓଡ଼ିଶାର ସେମିତି କେତେଜଣ କୁନି ତାରକାଙ୍କ ସଫଳତାର
କାହାଣୀ ଏଥରର ପ୍ରଚ୍ଛଦରେ…

ସ୍କୁଲ ଲାବ୍‌ରୁ ନାସା-ଅନୁଗୋଳ ସହର ଉପକଣ୍ଠସ୍ଥ ହୁଲୁରିସିଂହାର ଶୁଭ୍ରାଂଶୁ ନାୟକ। ନବମ ଶ୍ରେଣୀର ଛାତ୍ର। ବାପା ଲକ୍ଷ୍ମଣ ନାୟକ ବ୍ୟାଗ୍‌ ତିଆରି କରି ବିକ୍ରି କରନ୍ତି। ମା’ ସୁଲୋଚନା ଗୃହିଣୀ। ବର୍ଷେ ତଳେ ବିଦ୍ୟାଳୟରେ ଅଟଳ ଟିଙ୍କରିଙ୍ଗ୍‌ ଲ୍ୟାବ୍‌ (ଏଟିଏଲ୍‌) ଆରମ୍ଭ ହୋଇଥିଲା। ସେଇଠୁ ଆରମ୍ଭ ହୋଇଥିଲା ତାଙ୍କ ଗବେଷଣା। ଆଉ ବିଭିନ୍ନ ପ୍ରୋଜେକ୍ଟ କରିବା ଆରମ୍ଭ କରିଥିଲେ। ହେଲେ ଦୁର୍ଭାଗ୍ୟବଶତଃ ଗତବର୍ଷ ତାଙ୍କ ହାତ ଭାଙ୍ଗି ଯାଇଥିଲା। ହେଲେ ମନରେ ବିଜ୍ଞାନର ନିଶା ସେମିତି ଚଢ଼ିକି ଥାଏ। ଘରେ ବସି ବସି ସେ ଏମିତି ଏକ ଡ୍ରୋନ୍‌ର ପରିକଳ୍ପନା କଲେ, ଯାହା ଅପହଞ୍ଚ ଇଲାକାର ରୋଗୀଙ୍କ ପାଇଁ ପୁଷ୍ପକ ବିମାନ ସାଜିବ। ଆଉ ସେମାନଙ୍କୁ ସଙ୍ଗେସଙ୍ଗେ ଆଶୁ ଚିକିତ୍ସା ଯୋଗାଇବ ଓ ଡାକ୍ତରଙ୍କ ସହ ସିଧାସଳଖ କଥାବାର୍ତ୍ତା କରାଇ ଉପଯୁକ୍ତ ପରାମର୍ଶ ବି ଦେଇପାରିବ। ଥରେ ତାଙ୍କ ବିଜ୍ଞାନ ଶିକ୍ଷକ ଏକ ଛୋଟିଆ ଡ୍ରୋନ୍‌ କରିବା ଶିଖାଇଥିଲେ। ତାକୁ ଆଧାର କରି ସେ ଏଭଳି ଡ୍ରୋନ୍‌ର ପରିକଳ୍ପନା କଲେ। ପ୍ରାରମ୍ଭିକ ସ୍ତରରେ ତାଙ୍କୁ ଏକ ମୋବାଇଲ ଓ ଲାପ୍‌ଟପ୍‌ ଆବଶ୍ୟକ ଥିଲା। ତେଣୁ ସେ ବାପାଙ୍କୁ କହିଥିଲେ ଏସବୁ ଆଣିବାକୁ। ହେଲେ ବାପା ରାଜି ହୋଇ ନ ଥିଲେ। ଅନ୍ୟ ବୟୋଜ୍ୟେଷ୍ଠମାନେ ବି ମନା କରିଥିଲେ। ହେଲେ ଶୁଭ୍ରାଂଶୁ ନିଜ ଜିଦ୍‌ରେ ଥିଲେ ଅଟଳ। ଆଉ ସେ ପ୍ରତିଶ୍ରୁତି ଦେଇଥିଲେ ଯେ, ଏ ସବୁର ସଦ୍‌ଉପଯୋଗ କରି କିଛି ଭଲ କାମ କରି ଦେଖେଇବେ। ଶେଷରେ ବାପା ଧାରକରଜ କରି ମୋବାଇଲ ଓ ଲାପ୍‌ଟପ୍‌ ଆଣିଦେଲେ। ଇଣ୍ଟରନେଟ୍‌ ସାହାଯ୍ୟରେ ସେ ଅନେକ କଥା ଶିଖିଲେ। ଆଉ ତାର ଏକ ଡାଏଗ୍ରାମ ପ୍ରସ୍ତୁତ କଲେ। ହାତ ଭଲ ହେବାପରେ ବିଦ୍ୟାଳୟର ତିନିଜଣ ଶିକ୍ଷକ ବି ତାଙ୍କ ସ୍ବପ୍ନ ସାକାର କରିବାରେ ସାହାଯ୍ୟ କଲେ। ୩ ମାସର ପରିଶ୍ରମ ଓ ୬୫ ହଜାର ଟଙ୍କା ବ୍ୟୟ ପରେ ସେ ଏହି ପ୍ରକଳ୍ପର ମଡେଲ ପ୍ରସ୍ତୁତ କରିବାରେ ସଫଳ ହେଲେ। ଆଉ ତା’ର ନାଁ ଦେଲେ ‘ମାଭିକ୍‌’। ଶୁଭ୍ରାଂଶୁ କହନ୍ତି,‘ ମାଭିକ୍‌ ଡ୍ରୋନ୍‌ ଗୁଗୁଲ ମ୍ୟାପ୍‌ ଦ୍ୱାରା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବିନା ପ୍ରତିବନ୍ଧକରେ ଯାଇପାରିବ। ଏପରି କି ବଡ଼ ବଡ଼ ଅଟ୍ଟାଳିବା କି ଗଛ ଥିଲେ ଅଟୋ ସେନ୍‌ସର ଦ୍ୱାରା ଗତିପଥ ବଦଳାଇପାରିବ। ଆଉ ଦୁର୍ଗମ ଅଞ୍ଚଳ ଓ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ତ୍ୱରିତ ପ୍ରାଥମିକ ଚିକିତ୍ସା ଯୋଗାଇବାରେ ସହାୟକ ହୋଇପାରିବ। ଏହା ୧୫ କି.ଗ୍ରା. ଓଜନର ଫାଷ୍ଟଏଡ୍‌ ଧରି ପହଞ୍ଚତ୍ବା ପରେ ଘଟଣାସ୍ଥଳରେ ଥିବା ଲୋକ କ୍ୟାମେରାରେ ଡାକ୍ତରଙ୍କ ପରାମର୍ଶ ନେଇ ରୋଗୀର ଚିକିତ୍ସା କରାଇପାରିବେ। ଉକ୍ତ ଡ୍ରୋନ୍‌ର ୨୪ ଘଣ୍ଟିଆ ଉଡ଼ାଣ କ୍ଷମତା ଥିବାବେଳେ ସେଥିରେ ସୋଲାର ପ୍ୟାନେଲ ସଂଯୋଗ କଲେ ଅଧିକ ସମୟ ଓ ଅଧିକ ବାଟ ଯାଇପାରିବ।’ ଇଣ୍ଟରନେଟ୍‌ରୁ ଶୁଭ୍ରାଂଶୁ ଜାଣିବାକୁ ପାଇଥିଲେ ଯେ www.nasa.org.inରେ ବିଜ୍ଞାନପ୍ରକଳ୍ପକୁ ନେଇ ଏକ ପ୍ରତିଯୋଗିତା ହେଉଛି। ତେଣୁ ସେ ବି ନିଜ ପ୍ରକଳ୍ପକୁ ନାସା ଓ୍ବେବସାଇଟ୍‌ରେ ଅପ୍‌ଲୋଡ୍‌ କରିଥିଲେ। ଆଉ ବିଶ୍ୱର ୧୩୮ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ତାଙ୍କୁ ଦ୍ୱିତୀୟ ସ୍ଥାନ ମିଳିଲା। ତାଙ୍କ ପ୍ରକଳ୍ପ ମନୋନୀତ ହୋଇଥିବା ନେଇ ଏକ ଚିଠି ନାସାରୁ ବିଦ୍ୟାଳୟକୁ ଆସିଥିଲା। ଏହାପରେ ସେ ସାରା ଓଡ଼ିଶାର ପିଲାଙ୍କ ପାଇଁ ପାଲଟିଗଲେ ଆଦର୍ଶ। ଦିଲ୍ଲୀରୁ ପ୍ରଫେସର ଆସି ତାଙ୍କୁ ୧୦ ଦିନିଆ ପ୍ରଶିକ୍ଷଣ ମଧ୍ୟ ଦେଇଛନ୍ତି। ଆସନ୍ତା ଜାନୁୟାରୀ ୧ରେ ନାସା ସ୍ପେସ୍‌ ସେଟେଲମେଣ୍ଟ ପ୍ରତିଯୋଗିତା ଅଛି। ତେଣୁ ବିଜ୍ଞାନ ଶିକ୍ଷକଙ୍କ ସହ ସେ ଆସନ୍ତା ୨୭ରେ ଆମେରିକା ଗସ୍ତ କରିବେ। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇଦେବେ। ଜିଲା ପ୍ରଶାସନ ଓ ଜିଲା ଶିକ୍ଷା ଅଧିକାରୀ ବି ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇଛନ୍ତି।

ଲକ୍ଷ୍ୟ ଅନ୍ତର୍ଜାତୀୟ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ଜିତିବା- ସଦ୍ୟସ୍ମିତା ନାୟକ। ବୟସ ୧୩, ଅଷ୍ଟମ ଶ୍ରେଣୀର ଛାତ୍ରୀ। ରାଜନଗର ବ୍ଲକ ବନ୍ଧପଡା ଗ୍ରାମର ସଦ୍ୟସ୍ମିତା ପାଠପଢ଼ାରେ ଯେମିତି ଦକ୍ଷ, ଖେଳକୁଦରେ ସେମିତି ମାହିର। ନିକଟରେ ସେ ନୂଆ ଦିଲ୍ଲୀରେ ଆୟୋଜିତ ଏମ୍‌.କେ. କ୍ଲାସିକ୍‌ ଓପନ ଇଣ୍ଟରନ୍ୟାଶନାଲ ତାଇକୋଣ୍ଡୋ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ହାସଲ କରି ନିଜ ଗାଁର ଟେକ ରଖିଛନ୍ତି। ସଦ୍ୟସ୍ମିତାଙ୍କ ବାପା ପ୍ରତାପ କୁମାର ନାୟକ ଜଣେ ଶିକ୍ଷକ। ମା’ ସରୋଜିନୀ ଗୃହିଣୀ। ସଦ୍ୟସ୍ମିତା କହନ୍ତି, ‘ମଦନପୁର ମହାବୀର ନୋଡାଲ ହାଇସ୍କୁଲରେ ମୁଁ ପଢେ। ଦିନେ ଆମ ବିଦ୍ୟାଳୟକୁ ସେଲ୍ଫ ଡିଫେନ୍ସ ବା ଆତ୍ମରକ୍ଷା କୌଶଳ ଶିଖେଇବା ପାଇଁ କେତେଜଣ ଆସିଥିଲେ। ସେହି ପ୍ରଶିକ୍ଷଣ ସମୟରେ ମୋ ମନରେ ଟାଏକୋଣ୍ଡୋ ଶିଖିବାର ଇଚ୍ଛା ଜାଗ୍ରତ ହେଲା। ଆଉ ଘରେ କହି ଟାଏକୋଣ୍ଡୋ ଶିଖିବା ଆରମ୍ଭ କଲି। ଏ ହେଉଛି ୩ ବର୍ଷ ତଳର କଥା। ତା’ପରେ ମୁଁ ଜିଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କଲି। କେନ୍ଦ୍ରାପଡ଼ା ଜିଲାସ୍ତରୀୟ ପ୍ରତିଯୋଗିତାରେ ପ୍ରଥମେ ସ୍ବର୍ଣ୍ଣ ପଦକ ହାସଲ କଲି। ଏହାପରେ କଟକର କଳ୍ପତରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ୩୪ତମ ରାଜ୍ୟସ୍ତରୀୟ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ହାସଲ କଲି। ପରେ ଓପନ୍‌ ଇଣ୍ଟରନ୍ୟାଶନାଲ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରି ଚାଇନା ପ୍ରତିଯୋଗୀଙ୍କୁ ହରାଇ ରୌପ୍ୟ ପଦକ ପାଇଲି। ଏବେ ମୋର ଲକ୍ଷ୍ୟ ରହିଛି ଅନ୍ତର୍ଜାତୀୟସ୍ତରର ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରି ସ୍ବର୍ଣ୍ଣପଦକ ହାସଲ କରିବା। ସେଥିପାଇଁ ବହୁତ ପରିଶ୍ରମ କରୁଛି। ଦିନକୁ ୫ ଘଣ୍ଟା ସମୟ ଦେଉଛି ଅଭ୍ୟାସ ପାଇଁ। ତା’ସହ ପାଠପଢ଼ା ବି ଚାଲିଛି।’

କେ. ଶିବନ ଓ ଅନ୍ୟ ଇସ୍ରୋ ବୈଜ୍ଞାନିକଙ୍କ ସହ ବିତିଥିବା ମୁହୂର୍ତ୍ତ ଥିଲା ଖାସ୍‌- ବିଜ୍ଞାନ ପ୍ରତି ରୁଚି ବହୁ ଆଗରୁ ଥିଲା। ତେଣୁ ବିଭିନ୍ନ ରାଜ୍ୟସ୍ତରୀୟ ଅଲିମ୍ପିଆଡରେ ଅଂଶଗ୍ରହଣ କରୁଥିଲେ। ଚଳିତ ବର୍ଷ ସେ ରାଜ୍ୟସ୍ତରୀୟ ସାଇବର ଅଲିମ୍ପିଆଡ ଟପ୍ପର ଓ ରାଜ୍ୟସ୍ତରୀୟ ବିଜ୍ଞାନ ଅଲିମ୍ପିଆଡରେ ଜୋନାଲ ଏକ୍ସଲେନ୍ସ ସାର୍ଟିଫିକେଟ୍‌ ହାସଲ କରିଥିଲେ। ଆଉ ଏହାର ଅଳ୍ପ କିଛି ମାସ ପରେ ତାଙ୍କ ମାମୁ ଓ ଶିକ୍ଷକମାନେ ଖବର ଦେଲେ ଯେ, www.mygov.inରେ ସ୍ପେସ୍‌ କୁଇଜ୍‌ ହେବ। ଏଥିରେ ମଧ୍ୟ ସେ ଅଂଶଗ୍ରହଣ କଲେ ଓ ସର୍ବାଧିକ ନମ୍ବର ରଖିଲେ। ଫଳରେ ତାଙ୍କୁ ଏମିତି ଏକ ସୁଯୋଗ ମିଳିଲା, ଯାହା ଥିଲା ତାଙ୍କ ପାଇଁ ସ୍ବପ୍ନ ପରି। ଇସ୍ରୋରୁ ନିମନ୍ତ୍ରଣ ଆସିଲା ଚନ୍ଦ୍ରଯାନ-୨ର ଚନ୍ଦ୍ରରେ ଅବତରଣ ଦେଖିବା ପାଇଁ। ଏହି ପ୍ରତିଭାବାନ୍‌ ପିଲା ଜଣକ ହେଉଛନ୍ତି ଝାରସୁଗୁଡା ଜିଲାର ଚିନ୍ମୟ ଚୌଧୁରୀ। ଘର ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ସାନଢୁରିଆମ ଗାଁରେ। ବାପା ପଙ୍କଜ ଚୌଧୁରୀ ଏମ୍‌ସିଏଲ୍‌ ଲଖନପୁର କ୍ଷେତ୍ରରେ ଜଣେ କେମିଷ୍ଟ ଓ ମା’ ଦୀପ୍ତିରାଣୀ ପଟେଲ ଶିକ୍ଷୟିତ୍ରୀ। ବନ୍ଧବାହାଲ ଡିଏଭି ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଚିନ୍ମୟ ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଇସ୍ରୋର ବିଶିଷ୍ଟ ବୈଜ୍ଞାନିକମାନଙ୍କ ସହ ଚନ୍ଦ୍ରଯାନ-୨ର ଅବତରଣ ଦେଖିବାର ସୁଯୋଗ ପାଇଥିଲେ। ଚିନ୍ମୟ କହନ୍ତି, ‘ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ଅଫିସରୁ କଲ୍‌ ଆସିଥିଲା। ସେମାନେ ମୋର ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ କାର୍ଯ୍ୟସୂଚୀ ସମ୍ପର୍କରେ ଅବଗତ କରାଇଥିଲେ। ପରେ ଇସ୍ରୋ ବେଙ୍ଗାଲୁରୁରୁ ବି ନିମନ୍ତ୍ରଣ କରି କାର୍ଯ୍ୟକ୍ରମ ସମ୍ପର୍କରେ ଜଣାଇଲେ। ଜରୁରୀ ଡକ୍ୟୁମେଣ୍ଟ ଭେରିଫିକେସନ୍‌ ପରେ ଆମକୁ କନଫର୍ମ କଲେ। ତା’ପରେ ଆମେ ବେଙ୍ଗାଲୁରୁ ଅଭିମୁଖେ ବାହାରିଲୁ। ଇସ୍ରୋର ଗେଷ୍ଟ ହାଉସ୍‌ରେ ରହିବା ବନ୍ଦୋବସ୍ତ କରାଯାଇଥିଲା। ଇସ୍ରୋର କେତେଜଣ ବୈଜ୍ଞାନିକ ବି ସେଠି ଥିଲେ। ସେମାନେ ଆମକୁ ଚନ୍ଦ୍ରଯାନ-୨ର ସ୍ଥିତି ସମ୍ପର୍କରେ ଜଣାଇଲେ। ତା’ସହ ପ୍ରୋଗ୍ରାମ ସିଡ୍ୟୁଲ୍‌ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କିଭଳି ସାକ୍ଷାତ୍‌ କରିବୁ ବୁଝାଇଥିଲେ। ସନ୍ଧ୍ୟାରେ ଆମକୁ ଗେଷ୍ଟହାଉସ୍‌ଠୁ ୬୦ କି.ମି. ଦୂର ଇସ୍ରୋର କଣ୍ଟ୍ରୋଲ୍‌ ରୁମ୍‌କୁ ନିଆଯାଇଥିଲା। ଆମେ ପହଞ୍ଚତ୍ବାର କିଛି ସମୟ ପରେ ପ୍ରଧାନମନ୍ତ୍ରୀ ଆସିଥିଲେ। ପ୍ରାୟ୧୦-୧୫ ମିନିଟ ଆମେ ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହେବାର ସୁଯୋଗ ପାଇଲୁ। ସେ ଆମକୁ ବିଜ୍ଞାନ କ୍ଷେତ୍ରରେ ଆଗେଇ ଭବିଷ୍ୟତରେ ବୈଜ୍ଞାନିକ ହେବା ପାଇଁ ପ୍ରୋତ୍ସାହିତ କଲେ। ପରେ ଫଟୋ ସେସନ୍‌ ହେଲା। ଏହାପରେ ଇସ୍ରୋ ଚେୟାରମ୍ୟାନ ଡ. କେ.ଶିବନ ଓ ଅନ୍ୟ ବୈଜ୍ଞାନିକଙ୍କ ସହ ମିଶିବାର ସୁଯୋଗ ପାଇଲୁ। କେ.ଶିବନଙ୍କ ସହ ଆମେ ଅନେକ ସମୟ ଧରି କଥା ହେଲୁ। ସେ ଆମକୁ ଇସ୍ରୋରେ କିଭଳି କାମ ହେଉଛି ଜଣାଇଲେ। ତାଙ୍କ ଅଟୋଗ୍ରାଫ୍‌ ବି ଆଣିଲୁ। ଆମକୁ ସେ ବିଜ୍ଞାନ ଉପରେ ଅଧିକରୁ ଅଧିକ କାମ କରିବା ସହ ଭବିଷ୍ୟତରେ ଇସ୍ରୋରେ ବୈଜ୍ଞାନିକ ଭାବେ ଦେଖିବାକୁ ଚାହାନ୍ତି ବୋଲି କହିଥିଲେ। କେ.ଶିବନଙ୍କ ସହ ବିତାଇଥିବା ପ୍ରତି ମୁହୂର୍ତ୍ତ ମୋ ପାଇଁ ଅଭୁଲା ହୋଇ ରହିଯାଇଛି। ସେଦିନ ଚନ୍ଦ୍ରଯାନ-୨ର ଅବତରଣ ଦୃଶ୍ୟକୁ ସିଧାସଳଖ ଦେଖିବା ସମୟରେ ତ ମୋର ହୃତ୍‌ସ୍ପନ୍ଦନ ବଢ଼ିଯାଇଥିଲା। ବୈଜ୍ଞାନିକମାନଙ୍କ କଠିନ ପରିଶ୍ରମ ଦେଖି ବହୁତ ପ୍ରେରଣା ମିଳିଥିଲା। ଏବେ ଆଗକୁ ବିଜ୍ଞାନରେ ହିଁ ବଢିବାର ନିଷ୍ପତ୍ତି ନେଇଛି। ବାପା ପଙ୍କଜ କହନ୍ତି, ‘ଏତେସବୁ ସଫଳତା ପରେ ମୋତେ ମୋ ପୁଅ ଉପରେ ବିଶ୍ୱାସ ଆସିଯାଇଛି ଯେ, ସେ ବିଜ୍ଞାନ କ୍ଷେତ୍ରରେ ନିଶ୍ଚୟ ସଫଳ ହେବ। ସେଥିପାଇଁ ବିଜ୍ଞାନ କ୍ଷେତ୍ରରେ ହିଁ ସେ ଆଗଉ ବୋଲି ଚାହୁଁଛି।’

ଚେସ୍‌ ମାଷ୍ଟର ଯମଜ ଭାଇ: ଯମଜ ଭାଇ ଶ୍ରୀୟାଂଶ ଓ ପ୍ରିୟାଂଶ ଏବେ ପାଲଟିଛନ୍ତି ଯାଜପୁର ଜିଲାର ଗର୍ବ। ରସୁଲପୁର ବ୍ଲକ ବାରବାଟୀ ଗାଁର ମୃତ୍ୟୁଞ୍ଜୟ ଦାସ ଓ ମାନସୀ ଦାସଙ୍କ ଏହି ଯମଜ ପୁତ୍ର ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଚାମ୍ପିୟନଶିପ୍‌ରେ ସଫଳତା ପାଇଛନ୍ତି। ଆଉ ପାଲଟିଛନ୍ତି ଚେସ୍‌ ତାରକା। କୋଚ୍‌ ନୀହାର ରଞ୍ଜନ ସାମଲଙ୍କଠାରୁ ଚେସ୍‌ ଶିଖିବା ଆରମ୍ଭ କରିବାପରେ ସେମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କଲେ। ୨୦୧୬ରେ ତାସ୍‌କେଣ୍ଟ ଓ ମଙ୍ଗୋଲିଆରେ ଚେସ୍‌ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିଥିଲେ। ଏହାପରେ ୨୦୧୭ ନୂଆଦିଲ୍ଲୀରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ୮ ବର୍ଷରୁ କମ୍‌ ବିଭାଗରେ ଶ୍ରୀୟାଂଶ ସ୍ବର୍ଣ୍ଣ ପଦକ ହାସଲ କରିଥିବାବେଳେ ପ୍ରିୟାଂଶ ନବମ ସ୍ଥାନରେ ରହିଥିଲେ। ସେହିବର୍ଷ ବ୍ରାଜିଲରେ ଅନୁଷ୍ଠିତ ୮ ବର୍ଷରୁ କମ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ଶ୍ରୀୟାଂଶ ୫ମ ସ୍ଥାନ ଅଧିକାର କରିଥିଲେ। ଏହାପରେ ୯ ବର୍ଷରୁ କମ୍‌ ରାଜ୍ୟ ଚେସ୍‌ ଚାମ୍ପିୟନଶିପ୍‌ରେ ଯୋଗଦେଇ ପ୍ରିୟାଂଶ ଚାମ୍ପିୟନ ଓ ଶ୍ରୀୟାଂଶ ରନର୍ସଅପ୍‌ ହୋଇଥିଲେ। ଝାରସୁଗୁଡ଼ାରେ ଗତ ଅକ୍ଟୋବର ୧୨ରୁ ୧୪ ତିନିଦିନ ଧରି ୭ରାଉଣ୍ଡ ବିଶିଷ୍ଟ ଚାଲିଥିବା ରାଜ୍ୟ ୧୧ ବର୍ଷରୁ କମ୍‌ ଓପନ୍‌ ଚେସ୍‌ ଚାମ୍ପିୟନଶିପ୍‌ ପ୍ରତିଯୋଗିତାରେ ଶ୍ରୀୟାଂଶ ୬ ପଏଣ୍ଟ କରି ଚାମ୍ପିୟନ ହୋଇଛନ୍ତି ଏବଂ ପ୍ରିୟାଂଶ ୫.୫ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନ ପାଇଛନ୍ତି। ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲାରୁ ୭୦ ଜଣରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ବର୍ତ୍ତମାନ ଶ୍ରୀୟାଂଶ ଆସନ୍ତା ଡିସେମ୍ବର ୧୫ ତାରିଖରୁ ନୂଆଦିଲ୍ଲୀରେ ହେବାକୁ ଥିବା ଜାତୀୟ ଚେସ୍‌ ଚାମ୍ପିୟନଶିପ୍‌ ପାଇଁ ମନୋନୀତ ହୋଇଛନ୍ତି। ଯମଜ ଭାଇଙ୍କ ବାପା ମୃତ୍ୟୁଞ୍ଜୟ କହନ୍ତି, ‘ପ୍ରତିଭା ଥିବା ସତ୍ତ୍ୱେ ଆର୍ଥିକ ଅନଟନ ପାଇଁ ଦୁଇ ପୁଅ ବିଦେଶରେ ହେଉଥିବା ବଡ଼ ବଡ଼ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରୁନାହାନ୍ତି। ଏପର୍ଯ୍ୟନ୍ତ ସରକାରୀ କି ବେସରକାରୀ ସ୍ତରରେ କାହାରି ସାହାଯ୍ୟ ମିଳିନାହିଁ।’
ଭବିଷ୍ୟତକୁ ନେଇ ଆମେ ଚିନ୍ତିତ ହେଉ। ନିଜ ଅପୂରଣୀୟ ଆଶାକୁ ତାଙ୍କ ପାଖରେ ସାକାର ହେଉଥିବା ଦେଖିବାକୁ ଚାହୁଁ। ତେଣୁ ନିଜ ସ୍ବପ୍ନ ଅନୁସାରେ ଆମେ ତାଙ୍କୁ ଗଢୁ। ହେଲେ ଭୁଲି ଯାଉ ତାଙ୍କର ବି ମନ ଅଛି, ଯେଉଁଥିରେ ଅନେକ କିଛି କରିବାର ଇଚ୍ଛା ରହିଥାଏ। ଯେବେ ଆମେ ତାଙ୍କ ଭାବନାରେ ଡେଣା ଦେବା, ସେବେ ଯାଇ ସେମାନେ ଉଡିପାରିବେ ବହୁତ ଉଚ୍ଚ। ଠିକ୍‌ ଯେମିତି ଏଇ ସବୁ ପିଲାମାନେ କରି ଦେଖାଇଛନ୍ତି।

-ଶିବାନୀ ମହାନ୍ତି
ତଥ୍ୟ: ହର୍ଷବର୍ଦ୍ଧନ ବେହେରା, ଭାସ୍କର ରାଉତରାୟ, ନୀଳେନ୍ଦ୍ର କୁମାର ଗଜେନ୍ଦ୍ର, ଅମିତ କୁମାର ସାମଲ


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri