Categories: ଜାତୀୟ

ଓଡ଼ିଶାରେ ୬୪ ଜୀବନ ନେଇଛି ଫନୀ

ନୂଆଦିଲ୍ଲୀ, ୨୬ା୬(ପି.ଟି.): ବାତ୍ୟା ‘ଫନୀ’ ଯୋଗୁ ଓଡ଼ିଶା ବିଶେଷଭାବେ ପ୍ରଭାବିତ ହୋଇଥିବାବେଳେ ଏଥିରେ ୬୪ ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରିପୋର୍ଟରେ ଦର୍ଶାଯାଇଛି। ରାଜ୍ୟର ମୋଟ ୧.୪ ଲକ୍ଷ ହେକ୍ଟର ଚାଷଜମି ଏହାଦ୍ୱାରା ପ୍ରଭାବିତ ହୋଇଥିବା ମଙ୍ଗଳବାର ରିପୋର୍ଟରେ ପ୍ରକାଶ କରାଯାଇଛି। ଓଡ଼ିଶା ସହ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରେ ଏହାର ପ୍ରଭାବ ପଡ଼ିଥିବା ପ୍ରକାଶ।
ଓଡ଼ିଶାରେ ‘ଫନୀ’ ତାଣ୍ଡବ ଭୟଙ୍କର ଥିଲା ଓ ଏହାର ପ୍ରଭାବରେ ରାଜ୍ୟର ୬୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଏଥିସହ ୫.୫୬ ଲକ୍ଷ ଘର ଭାଙ୍ଗିଯାଇଥିଲା। ଏହାର ପ୍ରଭାବରେ ମୋଟ ୬,୨୮୧ ଗୃହପାଳିତ ପଶୁ ପ୍ରାଣ ହରାଇଥିଲେ। ୧,୪୮,୬୬୩ ହେକ୍ଟର ଚାଷଜମି ଏହାଦ୍ୱାରା ପ୍ରଭାବିତ ହୋଇଥିଲା। ୬,୪୧୬ ବୋଟ୍‌, ୮,୮୨୮ ଜାଲ ନଷ୍ଟ ହୋଇଯାଇଥିଲା ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଇ ଲୋକ ସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି। ରାସ୍ତାଘାଟ, ଶକ୍ତିକ୍ଷେତ୍ର, ରେଲଓ୍ବେ, ଟେଲିକମ୍‌ ଆଦି କ୍ଷେତ୍ର ଉପରେ ଏହାର ବହୁଳ ପ୍ରଭାବ ପରିଲକ୍ଷିତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।
ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ କୌଣସି ଲୋକ ପ୍ରାଣ ହରାଇ ନ ଥିବା ରିପୋର୍ଟରୁ ଜଣାପଡ଼ିଛି। ତେବେ ଆନ୍ଧ୍ରପ୍ରଦେଶରେ ୨୨୨ ଘର ଭାଙ୍ଗିଥିବା, ୨୮ ଗୃହପାଳିତ ପଶୁ ମୃତ୍ୟୁବରଣ କରିଥିବା ଓ ୧,୩୬୫ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରିପୋର୍ଟରୁ ଜଣାପଡ଼ିଛି। ସେହିଭଳି ପଶ୍ଚିମବଙ୍ଗରେ ୨୯,୨୬୦ ଘର ଭାଙ୍ଗିଥିବା ଓ ୧.୧୨ ଲକ୍ଷ ହେକ୍ଟର ଚାଷଜମି ‘ଫନୀ’ ଦ୍ୱାରା ପ୍ରଭାବିତ ହୋଇଥିବା ମନ୍ତ୍ରୀ ଉତ୍ତର ରଖିଛନ୍ତି। ମୃତ୍ୟୁମୁଖରୁ ବର୍ତ୍ତିବା ଲାଗି ଓଡ଼ିଶାରେ ୧୫,୫୭,୧୭୦, ଆନ୍ଧ୍ରପ୍ରଦେଶରେ ୧୭,୪୬୦ ଓ ପଶ୍ଚିମବଙ୍ଗରେ ୨, ୩୪,୮୦୧ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମୟୋପଯୋଗୀ ପଦକ୍ଷେପ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ଯୋଗୁ ବହୁ ଧନଜୀବନ ରକ୍ଷା ପାଇଗଲା।
ପ୍ରାକୃତିକ ବିପର୍ଯ୍ୟୟ ପରେ ଓଡ଼ିଶାକୁ ୧,୦୮୬ କୋଟି ଟଙ୍କା (୩୪୦.୮୭୫ କୋଟି), ଆନ୍ଧ୍ରପ୍ରଦେଶକୁ ୨୦୦.୨୫ କୋଟି ଟଙ୍କା, ପଶ୍ଚିମବଙ୍ଗକୁ ୨୩୫.୫୦ କୋଟି ଟଙ୍କା ଓ ତାମିଲନାଡ଼ୁକୁ ୩୦୯.୩୭୫ କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯାଇଥିବା ଦର୍ଶାଯାଇଛି।

Share