ଭୁବନେଶ୍ୱର,୧୨।୩: ସାଧାରଣ ଖାଉଟୀଙ୍କ ରୋଷେଇ ଘରେ ମଧ୍ୟପ୍ରାଚ୍ୟ ଯୁଦ୍ଧର ସିଧା ଅଭାବ ପଡିଛି। ଏଲପିଜି ସିଲିଣ୍ଡରର ଅଭାବ ପାଇଁ ଅଚଳାବସ୍ଥା ସୃଷ୍ଟି ହେଲାଣି। ଯୁଦ୍ଧ ପ୍ରଭାବରୁ ଗ୍ୟାସ ଯୋଗାଣ ଗୁରୁତର ବ୍ୟାହତ ହେବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ୟାସର ଘୋର ଅଭାବ ଦେଖା ଦେଇଛି । ଏହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି।
ସେପଟେ ଗ୍ୟାସକୁ ନେଇ ବିରୋଧୀ ରାଜନୀତି କରିବା ଉଚିତ୍ ନୁହେଁ ବୋଲି ଭାଜପା ବିଧାୟକ ଅଶୋକ ମହାନ୍ତି କହିଛନ୍ତି। ବିଧାୟକ କହିଛନ୍ତି, ବିରୋଧୀ ଦଳ ଲୋକଙ୍କୁ ବିଭ୍ରାନ୍ତ କରିବାର କୌଣସି କାରଣ ନାହିଁ।ଓଡ଼ିଶାରେ ପ୍ରଚୁର ମାତ୍ରାରେ ଗ୍ୟାସ ଉପଲବ୍ଧ ଅଛି। ଯୁଦ୍ଧ ପାଇଁ ଆସିବା ବିଳମ୍ବ ହେଉଛି, କୌଣସି ସମସ୍ୟା ନାହିଁ। ବିରୋଧୀ ଦଳ ପକ୍ଷରୁ ରାଜନୀତି କରିବା ଉଚିତ୍ ନୁହେଁ’।
ରାଜ୍ୟରେ ଗ୍ୟାସ ଅଭାବକୁ ନେଇ ବିଧାନସଭାରେ ଅଚଳାବସ୍ଥା। ବିରୋଧୀ ଦଳର ସଦସ୍ୟମାନେ ଆଜି ଗୃହରେ ପ୍ରବଳ ହୋହାଲ୍ଲା କରିଥିଲେ। ଗ୍ୟାସ ସିଲିଣ୍ଡର ପାଇଁ ଲୋକେ ହଇରାଣ ହେଉଥିବା ଅଭିଯୋଗ କରିଥିଲେ ବିଜେଡି ଓ କଂଗ୍ରେସ ବିଧାୟକ। ଲୋକଙ୍କ ସମସ୍ୟା ତୁରନ୍ତ ଦୂର କରିବାକୁ ସରକାର ପଦକ୍ଷେପ ନେବାକୁ ଦାବି କରିଥିଲେ। ବାଚସ୍ପତିଙ୍କ ପୋଡିୟମ ନିକଟରେ ଛିଡା ହୋଇ କଂଗ୍ରେସ ବିଧାୟକ ନାରାବାଜି କରିଥିଲେ।

