ଓଡ଼ିଶାରେ ସଂକ୍ରମଣ ହାର ସର୍ବନିମ୍ନ: ପ୍ରତି ୧୦୦ ନମୁନାରେ ୧.୦୮% ପଜିଟିଭ୍‌

ଭୁବନେଶ୍ୱର, ୧୫।୪(ବ୍ୟୁରୋ): ମହାମାରୀ କରୋନା ପାଇଁ ସାରା ଭାରତ ବର୍ତ୍ତମାନ ଲକ୍‌ଡାଉନରେ ରହିଛି। ଏହାସତ୍ତ୍ୱେ ଦେଶରେ ଦିନକୁ ଦିନ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଓଡ଼ିଶାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। କିନ୍ତୁ ଜାତୀୟ ସ୍ଥିତି ତୁଳନାରେ ଓଡ଼ିଶାରେ ସଂକ୍ରମଣ ହାର ସର୍ବନିମ୍ନ ରହିଛି ବୋଲି ଓଡ଼ିଶା ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି।
ସେ କହିଛନ୍ତି ଯେ, ଓଡ଼ିଶାରେ ସାଢ଼େ ୪ କୋଟି ଜନସଂଖ୍ୟା। ଆମ ରାଜ୍ୟରେ ଯେଉଁ ଅନୁଶାସନ ଓ ଶୃଙ୍ଖଳା ରହିଛି, ସେଥିପାଇଁ ଆମର କୋଭିଡ୍‌ ସଂକ୍ରମଣ ସଂଖ୍ୟା କମିଛି। ଏବେସୁଦ୍ଧା ମାତ୍ର ୬୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଭାରତରେ ଏବେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବଢ଼ୁଥିବାବେଳେ ଓଡ଼ିଶାରେ ଏହାର ଗତି ମନ୍ଥର ରହିଛି। ରାଜ୍ୟରେ ପ୍ରତି ୧୦୦ ନମୁନା ପରୀକ୍ଷଣରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବନିମ୍ନ ସ୍ତରରେ ରହିଛି। ଦିଲ୍ଲୀରେ ପ୍ରତି ୧୦୦ ଟେଷ୍ଟରେ ୧୦.୯୦% ପଜିଟିଭ୍‌ ଆସୁଥିବାବେଳେ ତାମିଲନାଡୁରେ ୯.୨୦%, ମଧ୍ୟପ୍ରଦେଶରେ ୭.୬୦% ରହୁଛି। ତେବେ ଦେଶରେ ଏହି ହାର ୫% ରହିଥିବାବେଳେ ଓଡ଼ିଶାରେ ମାତ୍ର ୧.୦୮ % ରହିଛି। ଓଡ଼ିଶାରେ ଏହାକୁ ବନ୍ଦୀ କରି ରଖିବାର ଶ୍ରେୟ କେବଳ ଶୃଙ୍ଖଳିତ ଓଡ଼ିଶାବାସୀଙ୍କୁ ହିଁ ଯାଉଛି ବୋଲି ଶାଳିନୀ ପଣ୍ଡିତ କହିଛନ୍ତି।