ଓଡ଼ିଶାରେ କରୋନା ସଂକ୍ରମଣ ଭୟ: ୪ ନମୁନା ନେଗେଟିଭ୍‌

ଭୁବନେଶ୍ୱର, ୨ା୨(ବ୍ୟୁରୋ) – ଚାଇନାର ଉହାନ ସହରରୁ ବ୍ୟାପିଥିବା କରୋନାକୁ ନେଇ ଏବେ ବିଶ୍ୱରେ ଭୟ ଓ ଆତଙ୍କ ବଢ଼ିବାରେ ଲାଗିଛି। ଏହି ମାରାତ୍ମକ ଭୂତାଣୁ ଭାରତକୁ ଡେଇଁଥିବାବେଳେ କେରଳରେ ଆଉ ଗୋଟିଏ ନମୁନା ପଜିଟିଭ୍‌ ବାହାରିଛି। ଏହା ଜଣାପଡିବା ପରେ ଦେଶବ୍ୟାପୀ ହଇଚଇ ସୃଷ୍ଟି ହୋଇଛି। ଏପଟେ ଓଡ଼ିଶାକୁ କରୋନା ଭୂତାଣୁ ନ ଆସିବ ସେଥିଲାଗି ବିଭିନ୍ନ ପ୍ରବେଶ ପଥ ବିଶେଷକରି ବନ୍ଦର, ବିମାନ ବନ୍ଦର, ରେଳ ଷ୍ଟେଶନମାନଙ୍କରେ ଯାତ୍ରୀଙ୍କୁ ଯାଞ୍ଚ କଡ଼ାକଡ଼ି କରାଯାଇ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରମୁଖ ହସ୍ପିଟାଲମାନଙ୍କରେ ଆଇସୋଲେଶନ ଓ୍ବାର୍ଡ ପ୍ରସ୍ତୁତ କରି ରଖାଯାଇଥିବାବେଳେ ସଂକ୍ରମଣ ଲକ୍ଷଣ ଥିବା ୫ଜଣଙ୍କ ସ୍ବାବ୍‌୍‌ ଓ ରକ୍ତ ନମୁନା ପୁଣେସ୍ଥିତ ନ୍ୟାଶନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିକୁ ପଠାଯାଇଥିଲା। ସେଥିମଧ୍ୟରୁ ୪ ଜଣଙ୍କର ରିପୋର୍ଟ ନେଗେଟିଭ୍‌ ଆସିଛି। ଅନ୍ୟପକ୍ଷରେ ଚାଇନାର ଉହାନ୍‌ ୟୁନିଭର୍ସିଟିରୁ ଫେରିଥିବା ଓଡ଼ିଶାର ଜଣେ ଛାତ୍ରୀ ଓ ତାଙ୍କର ସ୍ବାମୀଙ୍କୁ ସଂକ୍ରମଣ ଆଶଙ୍କା କରି ଏସ୍‌ସିବି ମେଡିକାଲ୍‌ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲରେ କରୋନା ପାଇଁ ଖୋଲିଥିବା ସ୍ବତନ୍ତ୍ର ଆଇସୋଲେଶନ ୱାର୍ଡରେ ସେମାନଙ୍କର ଚିକିତ୍ସା ଆରମ୍ଭ କରାଯାଇଛି। ଏ ଦିଗରେ ସତର୍କ ଦୃଷ୍ଟି ରଖାଯିବା ସହ ଆବଶ୍ୟକ ପଡ଼ିଲେ ସେମାନଙ୍କ ସ୍ବାବ୍‌ ଓ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯିବ ବୋଲି ଏସ୍‌ସିବି ପକ୍ଷରୁ ସୂଚନା ମିଳିଛି।