ଓଡ଼ିଶାକୁ ମିଳିବ ଆଇକନିକ ଐତିହ୍ୟ ମାନ୍ୟତା

ଭୁବନେଶ୍ୱର,୨୦।୮(ବ୍ୟୁରୋ): ଓଡ଼ିଶା ଓ ଓଡ଼ିଆବାସୀଙ୍କ ପାଇଁ ଖୁସି ଖବର। କାରଣ ଓଡ଼ିଶା ଏବେ ଆଇକନିକ ଐତିହ୍ୟସ୍ଥଳ ତାଲିକାରେ ସ୍ଥାନ ପାଇବାକୁ ଯାଉଛି। ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ। ମଙ୍ଗଳବାର ଦିଲ୍ଲୀରେ ଅନୁଷ୍ଠିତ ପର୍ଯ୍ୟଟନ ମନ୍ତ୍ରୀ ସମ୍ମିଳନୀରେ ପଟେଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଖୁବ୍‌ଶୀଘ୍ର ଓଡ଼ିଶାକୁ ଆଇକନିକ୍‌ ହେରିଟେଜର ମାନ୍ୟତା ମିଳିବ। ପୂର୍ବରୁ ଓଡ଼ିଶା ଡକ୍ୟୁମେଣ୍ଟରେ ଅଭାବ ଥିବାରୁ ମାନ୍ୟତା ମିଳି ନ ଥିଲା। ପୁରୀ, କୋଣାର୍କ ଏମିତି ଜାଗା ଯାହା ସ୍ଥାନ ପାଇବା ଜରୁରୀ। ଏହା ଏମିତି ଜାଗା, ଯାହାକୁ କେହି ଅଣଦେଖା କରିପାରିବେ ନାହିଁ ବୋଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପଟେଲ କହିଛନ୍ତି।
ପ୍ରକାଶ ଯେ, ପୁରୀ ଓ କୋଣାର୍କକୁ ଆଇକନିକ୍‌ ପର୍ଯ୍ୟଟନ କ୍ଷେତ୍ରରେ ସାମିଲ କରିବା ପାଇଁ ଗତ ଅଗଷ୍ଟ ୯ ତାରିଖରେ ରାଜ୍ୟର ସବୁ ଭାଜପା ସାଂସଦଙ୍କ ପକ୍ଷରୁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପଟେଲଙ୍କୁ ଚିଠି ଲେଖାଯାଇଥିଲା। ପୂର୍ବରୁ ଦେଶର ୧୭ଟି ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକାରେ ପୁରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କ ମନ୍ଦିରକୁ ସାମିଲ କରାଯିବା ନେଇ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପତ୍ର ଲେଖି ଅନୁରୋଧ କରିଥିଲେ।