ଓଡ଼ିଶାକୁ ଇ-ଅବକାରୀ ଡିଜିଟାଲ ଇଣ୍ଡିଆ ସ୍ବର୍ଣ୍ଣ ପୁରସ୍କାର

ଭୁବନେଶ୍ୱର,୮।୧(ବ୍ୟୁରୋ)-ଜାତୀୟ ସ୍ତରରେ ଓଡ଼ିଶା ପୁଣି ପୁରସ୍କୃତ ହୋଇଛି। ରାଜ୍ୟ ସରକାରଙ୍କ ଇ-ଅବକାରୀକୁ ‘ଡିଜିଟାଲ ଇଣ୍ଡିଆ ସ୍ବର୍ଣ୍ଣ ପୁରସ୍କାର’ ପ୍ରଦାନ କରାଯାଇଛି । ଶନିବାର ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ‘ଡିଜିଟାଲ ଇନିସିଏଟିଭ୍‌ ଫର୍‌ ଇଜ୍‌ ଅଫ୍‌ ଡୁଇଂ ବିଜ୍‌ନେସ’ ବର୍ଗରେ ଓଡ଼ିଶାକୁ ଏହି ସମ୍ମାନଜନକ ପୁରସ୍କାର ମିଳିଛି । ରାଜ୍ୟ ଅବକାରୀ ବିଭାଗ ସ୍ବଚ୍ଛତା ଓ ସମୟାନୁବର୍ତ୍ତିତା ସମେତ ନିରବଚ୍ଛିନ୍ନ ଅନ୍‌ଲାଇନ ସେବା ଯୋଗାଇ ଦେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ପାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଅବକାରୀ ବିଭାଗର ପୂର୍ବତନ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନି, ଅବକାରୀ ଆୟୁକ୍ତ ଆଶିଷ କୁମାର ସିଂହ, ଅତିରିକ୍ତ ଅବକାରୀ ଆୟୁକ୍ତ ରାମଚନ୍ଦ୍ର ପାଲଟା, ଅବକାରୀ ବିଭାଗର ଅତିରିକ୍ତ ସଚିବ ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ ଏବଂ ରାଷ୍ଟ୍ରୀୟ ସୂଚନା ଓ ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ନୀହାର ରଞ୍ଜନ ବିଶ୍ବାଳ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ରାଜ୍ୟ ସରକାରଙ୍କ ୫-ଟି ନୀତି ଆଧାରରେ ଅବକାରୀ ବିଭାଗ ୨୦୧୯-୨୦ରୁ ରାଷ୍ଟ୍ରୀୟ ସୂଚନା ସହାୟତାରେ ୩୦ରୁ ଅଧିକ ଅନ୍‌ଲାଇନ କାର୍ଯ୍ୟକ୍ରମ ଜରିଆରେ ସ୍ବଚ୍ଛ, ଅବାଧ, ସ୍ବଳ୍ପ ସମୟ, ନିରବଚ୍ଛିନ୍ନ ଏବଂ ସମୟାନୁବର୍ତ୍ତୀ ସେବା ଦେଉଛି ।