ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର କାର୍ଯ୍ୟଧାରା ବଦଳିବ: ଓଡ଼ିଆରେ ହେବ ନଥି କାର୍ଯ୍ୟ

ଭୁବନେଶ୍ୱର, ୨୫।୮(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସମସ୍ତ ସରକାରୀ ନଥି କାର୍ଯ୍ୟ ଶତପ୍ରତିଶତ ଓଡ଼ିଆରେ ହେବ। ମୁଖ୍ୟମନ୍ତ୍ରୀଙ୍କ ୫-ଟି ମନ୍ତ୍ର ଉପରେ ଗୁରୁତ୍ୱ ଦିଆଯିବା ସହ ସମସ୍ତ କାର୍ଯ୍ୟପ୍ରଣାଳୀକୁ ତ୍ୱରାନ୍ବିତ କରିବା ଲାଗି ଏବେ ତତ୍ପରତା ପ୍ରକାଶ ପାଇଛି। ଏ ପରିପ୍ରେକ୍ଷୀରେ ଶନିବାର ବିଭାଗୀୟ ସମ୍ମିଳନୀ କକ୍ଷରେ ବିଭାଗର ନିର୍ଦ୍ଦେଶକ ବିଜୟ ନାୟକଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ସ୍ବତନ୍ତ୍ର ଶାସନ ସଚିବ ରାମକୃଷ୍ଣ ସାହୁ ଯୋଗ ଦେଇଥିଲେ। ଏହି ଅବସରରେ ସରକାରଙ୍କ ଦ୍ବାରା ନିଆଯାଇଥିବା ଗୋଷ୍ଠୀଗତ କାର୍ଯ୍ୟ, ପ୍ରଶାସନିକ ସ୍ବଚ୍ଛତା, ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ, ସମୟାନୁବର୍ତ୍ତିତା, ସଫଳ ରୂପାୟନ ଉପରେ ଧ୍ୟାନ ଦେବା ପାଇଁ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।
ବିଭାଗ ପକ୍ଷରୁ ପରିଚାଳିତ ବିଭିନ୍ନ ଯୋଜନା ଯଥା ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା, ବିଭିନ୍ନ ସାଂସ୍କୃତିକ ସଂସ୍ଥାକୁୁ ଅନୁଦାନ ପ୍ରଦାନ, ରାଜ୍ୟସ୍ତରୀୟ ଲୋକକଳା ଦିବସ ପାଳନ, ସଂସ୍କୃତି ବିଭାଗ ଦ୍ୱାରା ପରିଚାଳିତ ୩ ମଣ୍ଡପକୁ ଭଡା ସୂତ୍ରରେ ପ୍ରଦାନ ଇତ୍ୟାଦି କାର୍ଯ୍ୟ ଅନ୍‌ଲାଇନ ମାଧ୍ୟମରେ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। କଳାକାରମାନଙ୍କର ଭତ୍ତା ଆବେଦନ, ଭତ୍ତା ବଣ୍ଟନ ଓ କଳାକାରମାନଙ୍କର ଏକ ତାଲିକା ପ୍ରସ୍ତୁତ କରି ଓ୍ବେବସାଇଟ୍‌ରେ ଜନସାଧାରଣଙ୍କ ଅବଗତି ନିମନ୍ତେ ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ହୋଇଛି।