ଓଡ଼ିଆ ପ୍ରଯୋଜକ ରାଜେଶଙ୍କୁ ‘ମିଡ୍‌ ଡେ ଶୋ’ବିଜ୍‌ ପୁରସ୍କାର

ଭୁବନେଶ୍ୱର, ୫ା୧୦(ବ୍ୟୁରୋ): ଓଡ଼ିଆ ପ୍ରଯୋଜକ ରାଜେଶ କୁମାର ମହାନ୍ତି ମୁମ୍ବାଇଠାରେ ଅନୁଷ୍ଠିତ ‘ମିଡ୍‌ ଡେ ଶୋ ବିଜ୍‌’ରେ ‘ଆଇକନିକ୍‌ ଡେବ୍ୟୁ ପ୍ରଡ୍ୟୁସର’ ଭାବେ ସମ୍ମାନିତ ହୋଇଛନ୍ତି। ଖବରକାଗର ‘ମିଡ୍‌ ଡେ’ ପକ୍ଷରୁ ଦିଆଯାଉଥିବା ଏହି ପୁରସ୍କାର ପାଇବାରେ ସେ ପ୍ରଥମ ଓଡ଼ିଆ। ମହାନ୍ତି ନିଜ ବହୁଚର୍ଚ୍ଚିତ ଫିଲ୍ମ ‘ଅନ୍ତଃଧ୍ୱନି-ଦ ଇନର୍‌ ଭଏସ୍‌’ ପାଇଁ ଏହି ପୁରସ୍କାର ପାଇଛନ୍ତି। ଏହା ତାଙ୍କର ପ୍ରଥମ ଫିଚର ଫିଲ୍ମ ହୋଇଥିବାବେଳେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଏହାକୁ ବହୁ ସମ୍ମାନ ଓ ସ୍ବୀକୃତି ମିଳିଛି। ୯ଥର ରାଷ୍ଟ୍ରୀୟ ପୁରସ୍କାର ହାସଲ କରିଥିବା ନିର୍ଦ୍ଦେଶକ ଅପୂର୍ବ କିଶୋର ବୀର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଚଳିତ ବର୍ଷ କାନ୍‌ସ ଫିଲ୍ମ ଫେଷ୍ଟିଭାଲ୍‌ରେ ଏହା ପ୍ରଦର୍ଶିତ ହେବାସହ ପ୍ରଶଂସିତ ହୋଇଥିଲା। ଏହାସହ ଫିଲ୍ମର ନାୟିକା ସ୍ବପ୍ନା ପତିଙ୍କ ସମେତ ପ୍ରଯୋଜକ ରାଜେଶ ଓ ନିର୍ଦ୍ଦେଶକ ଅପୂର୍ବ କାନ୍‌ସ ରେଡ୍‌ କାର୍ପେଟରେ ଚାଲିବାର ସୌଭାଗ୍ୟ ମଧ୍ୟ ହାସଲ କରିଥିଲେ।