Categories: ଜାତୀୟ

ଓଡ଼ିଆ ଅଫିସର ସି.ପି. ମହାନ୍ତି ଦକ୍ଷିଣାଞ୍ଚଳ ସେନା କମାଣ୍ଡର

ନୂଆଦିଲ୍ଲୀ,୨୪ା୧(ପି.ଟି.):ଓଡ଼ିଆ ଅଫିସର ଲ୍ୟୁଟ୍‌ନାଣ୍ଟ ଜେନେରାଲ ସି.ପି. ମହାନ୍ତିଙ୍କୁ ଦକ୍ଷିଣାଞ୍ଚଳ ସେନା କମାଣ୍ଡର ଭାବେ ନିଯୁକ୍ତି ମିଳିଛି। ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବଣେ ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ସେ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଏସ୍‌.କେ. ସାଇନିଙ୍କ ସ୍ଥାନରେ ଶନିବାର ସେନାର ନୂଆ ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ସେହିପରି ଲ୍ୟୁଟ୍‌ନାଣ୍ଟ ଜେନେରାଲ ଓ୍ବାଇ.କେ. ଜୋଷୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଉତ୍ତରାଞ୍ଚଳ ସେନା କମାଣ୍ଡର ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ସେ ଜମ୍ମୁ-କଶ୍ମୀର ସଂଲଗ୍ନ ପାକିସ୍ତାନ ସୀମା ଓ ଲଦାଖ ସହ ରହିଥିବା ଚାଇନା ସୀମାର ସୁରକ୍ଷା ଦାୟିତ୍ୱରେ ରହିବେ। ୩୧ରେ ଲ୍ୟୁଟ୍‌ନାଣ୍ଟ ଜେନେରାଲ ରଣବୀର ସିଂ ଅବସର ନେଉଥିବାରୁ ତାଙ୍କ ସ୍ଥାନରେ ଜୋଷୀ ଫେବୃୟାରୀ ୧ରେ ଦାୟିତ୍ୱ ଗ୍ରହଣ କରିବେ। କଶ୍ମୀରରେ ଆତଙ୍କବାଦ ନିରୋଧୀ ଅଭିଯାନରେ ତାଙ୍କର ବିଶେଷ ଅଭିଜ୍ଞତା ରହିଛି। କାର୍ଗିଲ ହିରୋ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଜୋଷୀଙ୍କୁ ‘ବୀର ଚକ୍ର’ ସମ୍ମାନ ପ୍ରଦାନ କରାଯାଇଥିଲା। କାର୍ଗିଲ ଯୁଦ୍ଧ ବେଳେ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଓ୍ବାଇ. କେ. ଜୋଷୀଙ୍କ ନେତୃତ୍ୱରେ ସେନା ଦୁଃସାହସିକତା ପ୍ରଦର୍ଶନ କରିଥିଲେ।

Share