ଓଡ଼ିଆରେ ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ମୁଖ୍ୟମନ୍ତ୍ରୀ, ଧର୍ମେନ୍ଦ୍ର ମଧ୍ୟ ଅଭିନନ୍ଦନ ଜଣାଇଲେ

ଭୁବନେଶ୍ୱର,୪-୯(ବ୍ୟୁରୋ):ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଓଡିଆରେ ଟୁଇଟ୍‌ କରି ନୂଆଁଖାଇ ଜୁହାର ଜଣାଇଛନ୍ତି। ଏହି ଅବସରରେ ସମାଜର ସବୁବର୍ଗ ସହିତ ଚାଷୀଭାଇଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି। ସମସ୍ତଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ଉନ୍ନତି ପାଇଁ ଭଗବାନଙ୍କ ନିକଟରେ ସେ ପ୍ରାର୍ଥନା କରିଥିବା କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ଶାନ୍ତି, ମୈତ୍ରୀ ଓ ଆନନ୍ଦର ପର୍ବ ନୂଅଁାଖାଇ ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟର କୃଷକ ଭଉଣୀ,ଭାଇଙ୍କ ସମୃଦ୍ଧି କାମନା କରିଛନ୍ତି। ଏହାସହ ସମଲେଇଙ୍କ ଆଶୀର୍ବାଦରୁ ଆମ ରାଜ୍ୟ ଓଡିଶା ଆହୁରି ପ୍ରଗତିଶୀଳ ହେବା ସହିତ ସମସ୍ତଙ୍କୁ ଆଉଥରେ ସେ ନୂଅଁାଖାଇ ଜୁହାର ଜଣାଇଛନ୍ତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ନୂଆଁଖାଇ ହେଉଛି ଚାଷ ଆଧାରିତ ଏକ ଧାର୍ମିକ, ଆଧ୍ୟାତ୍ମିକ, ସାଂସ୍କୃତିକ, ସାମାଜିକ ମହାନ୍‌ ଲୋକପର୍ବ। ନୂଆ ଧାନକୁ ପୂଜା କରି ପରିବାର ସହ ମିଶି ଖାଇବାର ମହାନ୍‌ ପରମ୍ପରାର ପ୍ରତୀକ ହେଉଛି ଏହି ପର୍ବ। ପରିବାର ଓ ସମାଜର ସମସ୍ତଙ୍କୁ ଜୁହାର କରିବାର ଅବସର ହେଉଛି ନୂଆଁଖାଇ। ଆଜି ପରିବାର ଓ ସମାଜ ସହ ମିଳିମିଶି ରହିବାର ଧାରା ଦୁର୍ବଳ ହେବାରେ ଲାଗିଛି, ସେଥିଲାଗି ନୂଆଁଖାଇ ପର୍ବର ଆବଶ୍ୟକତା ବଢି ଯାଇଛି। ନୂଆଁଖାଇ ପରିବାର ଓ ସମାଜ ଭିତରେ ମିଳିମିଶି ରହିବା ଓ ଶାନ୍ତି, ସହଯୋଗ ଏବଂ ଭାଇଚାରାକୁ ମଜଭୁତ୍‌ କରିବାର ସନ୍ଦେଶ ଦେଉଛି। ଚାଷର ଉନ୍ନତି, ମା’ ମାଟିର ସୁରକ୍ଷା, ଘର ଦ୍ୱାରକୁ ସଫାସୁତୁରା ରଖିବା ଓ ପରିବାରର ସମସ୍ତଙ୍କୁ ଶ୍ରଦ୍ଧା ଓ ସମ୍ମାନ ଦିଆଯାଉଥିବାରୁ ନୂଅଁାଖାଇ ପର୍ବ ସ୍ବତନ୍ତ୍ର ବୋଲି ପ୍ରଧାନ କହିଛନ୍ତି।