ଓଡ଼ିଆଙ୍କ କଳାକୃତି ଦକ୍ଷିଣ ଭାରତରେ ଭାଇରାଲ

କେନ୍ଦୁଝର, ୨୮ା୮(ସ୍ବ.ପ୍ର.)-ରୁବିକ୍‌ସ କ୍ୟୁବ୍‌ରେ ପ୍ରସ୍ତୁତ ଦକ୍ଷିଣ ଭାରତ ସୁପର ଷ୍ଟାର ତଥା ବାହୁବଳୀ ସିନେମା ଅଭିନେତା ପ୍ରଭାସଙ୍କ ଚିତ୍ର ଓ ଭିଡିଓ ଦକ୍ଷିଣ ଭାରତରେ ଭାଇରାଲ ହୋଇଛି ା ବିଭିନ୍ନ ସୋସିଆଲ ମିଡିଆ ସମେତ ଟିଭି ଓ ପ୍ରିଣ୍ଟ ମିଡିଆରେ ମଧ୍ୟ ଛାଇ ଯାଇଛି ା ତେବେ ଏହି କଳାକୃତିକୁ ତିଆରି କରିଛନ୍ତି ଓଡ଼ିଶାର ଜଣେ ଯୁବକ। ସେ ହେଉଛନ୍ତି ସୁମିତ୍‌ ଦ୍ୱିବେଦୀ। ସେ କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜରେ ଶେଷ ବର୍ଷ ମାଇନିଂ ଇଞ୍ଜିନିୟରିଂ ଛାତ୍ର ା ତାଙ୍କ ଘର ପଶ୍ଚିମଓଡ଼ିଶାର ଦେବଗଡ ସହରରେ।
ଏହି କଳାକୃତିକୁ ୪୮୬ଟି ରୁବିକ୍‌ସ କ୍ୟୁବ୍‌ରେ ତିଆରି କରିଥିବା ସୁମିତ୍‌ କହିଛନ୍ତି। ଏଥିପାଇଁ ତାଙ୍କୁ ୩ ଦିନ ସମୟ ଲାଗିଥିଲା। ମାଇନିଂ ଇଞ୍ଜିନିୟର ହେବାକୁ ଆଶା ରଖିଥିବା ସୁମିତ୍‌ ଏହି ଅନନ୍ୟ ଚିତ୍ରକଳାକୁ ଛାଡ଼ିବାକୁ ଚାହାନ୍ତି ନାହିଁ ା ଏହି କଳାକୃତି ବହୁତ କମ୍‌ କଳାକାର କରିଥାନ୍ତି। ବରଗଡରେ ଏକ ଘରୋଇ ବିଦ୍ୟାଳୟରେ ଯୁକ୍ତ ୨ ପଢୁଥିବା ବେଳେ ଜଣେ ଜୁନିୟର ଛାତ୍ରଙ୍କ ପ୍ରେରଣାରେ ସେ ଏହି କ୍ୟୁବ୍‌ରେ ଖେଳିବା ଆରମ୍ଭ କରିଥିଲେ। କିନ୍ତୁ ଗତ ୩ ମାସ ହେଲା ଏହି ରୁବିକ୍‌ସ କ୍ୟୁବରେ ଚିତ୍ର କରିବା ଆରମ୍ଭ କରିଥିଲେ। ଏହା ବ୍ୟୟବହୁଳ। ପକେଟ୍‌ ଖର୍ଚ୍ଚରୁ ୧୪୬ଟି ରୁବିକ୍‌ସ କ୍ୟୁବ୍‌ କିଣି ପ୍ରଥମେ ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଚିତ୍ର ପ୍ରସ୍ତୁତ କରିଥିଲେ। ଏହାପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କ୍ରିକେଟିୟର ଏମ୍‌.ଏସ୍‌. ଧୋନୀଙ୍କ ଚିତ୍ର କରିଥିଲେ। ଇତିମଧ୍ୟରେ ୫୦୦ ରୁବିକ୍‌ସ କ୍ୟୁବ୍‌ ନୂଆଦିଲ୍ଲୀରୁ ମଗାଇ ସେଥିରେ ଅଭିନେତା ପ୍ରଭାସଙ୍କ ଚିତ୍ର ଆଙ୍କି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ତାହା ବିଶେଷ କରି ଦକ୍ଷିଣ ଭାରତରେ ଅଧିକ ଭାଇରାଲ ହୋଇଥିଲା ା ସେଠାକାର ନ୍ୟୁଜ୍‌ ଚ୍ୟାନେଲ ଓ ପତ୍ରପତ୍ରିକାରେ ତାହା ପ୍ରକାଶ ପାଇଥିବାରୁ ସୁମିତ୍‌ ବେଶ୍‌ ଖୁସି ବ୍ୟକ୍ତ କରିଛନ୍ତି। ତାଙ୍କ ବାପା ସୁଦାମ ଚରଣ ଦ୍ୱିବେଦୀ ପେସାରେ ଜଣେ ଠିକାଦାର ହୋଇଥିବା ବେଳେ ମା’ ସାବିତ୍ରୀ ହେଉଛନ୍ତି ଜଣେ ଗୃହିଣୀ ା
ଆଗକୁ ୨୦ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ଚିତ୍ର ଆଙ୍କିବା ପାଇଁ ଯୋଜନା ପ୍ରସ୍ତୁତ କରିଥିବା ସୁମିତ୍‌ କହିଛନ୍ତି। ତେବେ ତାଙ୍କୁ ଏକ ନୂଆ ପରିଚୟ ଦେଇଥିବା ପ୍ରଭାସଙ୍କ ଚିତ୍ରକୁ ସେ ସାଇତି ରଖିବେ। ଏଣୁ ସେ ଅଧିକ ରୁବିକ୍‌ସ କ୍ୟୁବ୍‌ କିଣି ସେଥିରେ ଚିତ୍ର କରିବେ ବୋଲି କହିଛନ୍ତି। ଇଟାଲୀର ଜଣେ ରୁବିକ୍‌ସ କ୍ୟୁବ୍‌ ଚିତ୍ରକାରଙ୍କ ଦ୍ୱାରା ପ୍ରଭାବିତ ହୋଇଥିବା ସୁମିତ୍‌ ଓଡ଼ିଶା ପାଇଁ ଅଧିକ ଗୌରବ ଆଣିବା ପାଇଁ ଲକ୍ଷ୍ୟ ରଖିଛନ୍ତି।