ଓଜନିଆ ହେବ ନାହିଁ ସ୍କୁଲ ବ୍ୟାଗ୍‌:ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୨।୮(ବ୍ୟୁରୋ):ଏଣିକି ସ୍କୁଲ ବ୍ୟାଗ ଓଜନ କରାଯିବ। ଆବଶ୍ୟକଠାରୁ ଅଧିକ ଓଜନ ରହିଲେ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବ୍ୟାଗ୍‌ ଓଜନକୁ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଯେଉଁ ନିର୍ଦ୍ଦେଶାବଳୀ (ଗାଇଡ୍‌ ଲାଇନ) ରହିଛି ତାକୁ ପାଳନ କରିବା ପାଇଁ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲରେ କେବଳ ଏସ୍‌ସିଇଆର୍‌ଟି କିମ୍ବା ଏନ୍‌ସିଇଆର୍‌ଟି ଦ୍ୱାରା ପରିଚାଳିତ ପୁସ୍ତକ ବ୍ୟବହାର କରିବା, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କୁ ଘରପାଠ (ହୋମ୍‌ ଓ୍ବାର୍କ) ନ ଦେବା ଭଳି ନିୟମକୁ ପାଳନ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଏ ନେଇ ବିଭାଗ ପକ୍ଷରୁ ଗୁରୁବାର ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ଲେଖାଯାଇଛି। ରାଜ୍ୟର ସମସ୍ତ ବିଦ୍ୟାଳୟରେ ଏହି ନିୟମକୁ ଠିକ୍‌ ଭାବେ ପାଳନ କରାଯାଉଛି କି ନାହିଁ ତାହା ତଦାରଖ କରିବା ପାଇଁ କୁହାଯାଇଛି। ଏହାର ତଦାରଖ ନିମନ୍ତେ ଜିଲାପାଳଙ୍କ ଅଧୀନରେ ଜିଲାସ୍ତରୀୟ ସ୍କ୍ବାଡ୍‌ ଗଠନ ଲାଗି ପରାମର୍ଶ ଦିଆଯାଇଛି। ଏଥିରେ ଜିଲା ଶିକ୍ଷାଧିକାରୀ ଓ ଡିପିସିମାନେ ରହିବେ। ଜିଲାପାଳ ଚାହିଁଲେ ବ୍ଲକ୍‌ ଶିକ୍ଷାଧିକାରୀ, ଡିସିପିଓ, ପୋଲିସ ଅଧିକାରୀ, ସାମାଜିକ ଅନୁଷ୍ଠାନଗୁଡ଼ିକର କର୍ମକର୍ତ୍ତାଙ୍କୁ ସଦସ୍ୟ ଭାବେ ରଖିପାରିବେ। ଏହି ସ୍କ୍ବାଡ୍‌ ଯେ କୌଣସି ସମୟରେ ସରକାରୀ ଓ ଘରୋଇ ସ୍କୁଲଗୁଡ଼ିକୁ ଅଚାନକ ପରିଦର୍ଶନ କରିବେ। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ସଂକ୍ରାନ୍ତରେ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ଉକ୍ତ ଚିଠିରେ ଲେଖାଯାଇଛି। ଏଥିଯୋଗୁ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି।