Categories: ମେଟ୍ରୋ

ଓଏଚ୍‌ଆର୍‌ସି କାର୍ଯ୍ୟକାରୀ ଅଧ୍ୟକ୍ଷ ହେଲେ ଜଷ୍ଟିସ ରଘୁବୀର ଦାଶ : ଶୀଘ୍ର ଫଇସଲା ହେବ ପଡ଼ିରହିଥିବା ସଙ୍ଗିନ ମାମଲା

ଭୁବନେଶ୍ୱର,୧୭।୫(ବ୍ୟୁରୋ)- ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ସଦସ୍ୟ ଥିବା ଜଷ୍ଟିସ୍‌ ରଘୁବୀର ଦାଶଙ୍କୁ ରାଜ୍ୟପାଳ ଗୁରୁବାର କାର୍ଯ୍ୟକାରୀ ଅଧ୍ୟକ୍ଷଭାବେ ନିଯୁକ୍ତ କରିଛନ୍ତି। ଏନେଇ ରାଜ୍ୟ ଆଇନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ମାନବାଧିକାର ସୁରକ୍ଷା ଧାରା ୧୯୯୩ର ସେକ୍ସନ ୨୫ (୧୯୯୪ର ଧାରା ୧୦) ଅନୁଯାୟୀ ରାଜ୍ୟପାଳ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଦାଶଙ୍କୁ ଏହି ପଦବୀରେ ଅବସ୍ଥାପିତ କରିଛନ୍ତି।
ସୂଚନାଯୋଗ୍ୟ, ଦୀର୍ଘଦିନ ହେବ ରାଜ୍ୟ ମାନବାଧିକାର କମିଶନ ସଦସ୍ୟ ଓ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ଖାଲି ରହିଥିଲା। ଫଳରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସୁଥିବା ଅଭିଯୋଗ କେବଳ ଗ୍ରହଣ କରାଯାଉଥିଲା। କିନ୍ତୁ ବିଚାର ହୋଇ ନ ପାରିବାରୁ ମାମଲା ସଂଖ୍ୟା ବଢିବାରେ ଲାଗିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସଦସ୍ୟଙ୍କ ନାମ ଚୟନ କରି ରାଜ୍ୟପାଳଙ୍କ ନିକଟକୁ ପଠାଇଥିଲେ। ୨୦୧୮ ଡିସେମ୍ବର ୨୪ରେ ରାଜ୍ୟପାଳ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଦାଶଙ୍କୁ ରାଜ୍ୟ ମାନବାଧିକାର କମିଶନ ସଦସ୍ୟଭାବେ ନିଯୁକ୍ତ କରିଥିଲେ। ହେଲେ ମାନବାଧିକାର ଅଧ୍ୟକ୍ଷ ପଦ ଫାଙ୍କା ପଡିଥିଲା। ଜଷ୍ଟିସ ଦାଶ କାର୍ଯ୍ୟରେ ଯୋଗଦେବା ପରଠାରୁ ବର୍ତ୍ତମାନ ସୁଦ୍ଧା ହଜାରରୁ ଊର୍ଦ୍ଧ୍ୱ ଅଭିଯୋଗ ହୋଇଛି। ସେଥିମଧ୍ୟରୁ ୯୯୭ଟି ମାମଲାର ଫଇସଲା କରାଯାଇଥିବା ରାଜ୍ୟ ମାନବାଧିକାର କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ତେବେ ଜଷ୍ଟିସ ଦାଶଙ୍କ ପୂର୍ବରୁ ପଡ଼ିରହିଥିବା ବହୁ ଗୁରୁତ୍ୱପୂର୍ଣ୍ଣ ମାମଲା ଧୀରେ ଧୀରେ ଫଇସଲା କରାଯାଉଥିବାବେଳେ ଆଉ କେତେକ ସଙ୍ଗିନ ମାମଲାର ବିଚାର ହେବାର ରହିଛି। ଜଷ୍ଟିସ ଦାଶ ଏବେ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତି ପାଇଥିବାରୁ ଏସବୁ ମାମଲାର ଶୀଘ୍ର ଫଇସଲା ହୋଇଯିବ ବୋଲି ଆଶା କରାଯାଉଛି। ୨୦୧୮ ଅଗଷ୍ଟ ୧୫ରେ ଓଏଚ୍‌ଆର୍‌ସି ଅଧ୍ୟକ୍ଷ ଜଷ୍ଟିସ ବୀରକିଶୋର ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ହେବା ପରଠାରୁ କେହି ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ପାଇ ନ ଥିଲେ। ଏହି ନୂତନ ନିଯୁକ୍ତି ପାଇଁ ଜଷ୍ଟିସ ଦାଶ ରାଜ୍ୟପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି।