ଐଶ୍ୱର୍ଯ୍ୟାଙ୍କ ମ୍ୟାନେଜରଙ୍କୁ ନିଆଁରୁ ବଞ୍ଚାଇଥିବା ଶାହରୁଖଙ୍କ ପ୍ରଶଂସାରେ ଶତମୁଖ ସଲମାନ: କହିଲେ ‘ସେ ପ୍ରକୃତ ହିରୋ’

ବଲିଉଡ୍‌ ସିନେମା ଜଗତରେ ଖାନ୍‌ମାନଙ୍କ ରାଜୁତି ବହୁଦିନରୁ ରହିଆସିଛି। ହେଲେ ସେମାନଙ୍କ ମଧ୍ୟରୁ ଦୁଇଜଣ ଏପରି ଥିଲେ, ଯେଉଁମାନଙ୍କୁ ପରସ୍ପରର ଶତ୍ରୁ ବୋଲି କୁହାଯାଉଥିଲା। ଉଭୟ ଏକାଠି ସିନେମା କରିବା ତ ଦୂରର କଥା କୌଣସି ଉତ୍ସବ ଅଥବା ପାର୍ଟିରେ ଏକାଠି ଦୃଶ୍ୟ ହେବାକୁ ପସନ୍ଦ କରୁ ନ ଥିଲେ। ହେଲେ ଏବେ ସେମାନେ ଭଲ ବନ୍ଧୁ ପାଲଟିଛନ୍ତି। ସେ ହେଉଛନ୍ତି ସଲମାନ୍‌ ଖାନ୍‌ ଏବଂ ଶାହରୁଖ୍‌ ଖାନ। ବନ୍ଧୁ ହେବା ପରେ ମଧ୍ୟ ଉଭୟଙ୍କୁ ଏକାଠି ଦେଖାଗଲେ ଅଥବା ଜଣେ ଅନ୍ୟର ପ୍ରଶଂସା କଲେ ଆଜି ବି ଚର୍ଚ୍ଚା ହୁଏ। ସେଭଳି କିଛି ଚର୍ଚ୍ଚା ସଲମାନ୍‌ଙ୍କ ଇନ୍‌ଷ୍ଟା ପୋଷ୍ଟକୁ ନେଇ ହେବାରେ ଲାଗିଛି।

ବାସ୍ତବ କଥାଟି ଏପରି। ନିକଟରେ ବିଗ୍‌ ବି ଅମିତାଭ ବଚ୍ଚନ ନିଜ ଘରେ ଦୀପାବଳି ଉତ୍ସବ ପାଳନ ପାଇଁ ପୁରା ବଲିଉଡ୍‌ ପରିବାରକୁ ନିମନ୍ତ୍ରଣ କରିଥିଲେ। ଏଥିରେ ପ୍ରାୟ ସମସ୍ତ କଳାକାର ଯୋଗ ଦେଇଥିଲେ। ଶାହରୁଖ ମଧ୍ୟ ଯାଇଥିଲେ। ହେଲେ ସେଠାରେ ଅମିତାଭଙ୍କ ବୋହୁ ତଥା ନୀଳନୟନୀ ଐଶ୍ୱର୍ଯ୍ୟାଙ୍କ ମ୍ୟାନେଜର ଅର୍ଚ୍ଚନା ସଦାନନ୍ଦଙ୍କ ସହ ଏକ ଅଘଟଣ ଘଟିଥିଲା। ସେ ପିନ୍ଧିଥିବା ଲେହେଙ୍ଗାରେ ନିଆଁ ଲାଗିଯାଇଥିଲା। ଏହାଦେଖି ସେଠାରେ ଉପସ୍ଥିତ ଶାହରୁଖ ନିଜେ ପିନ୍ଧିଥିବା ଜ୍ୟାକେଟ କାଢ଼ି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ଏଥିରେ ଶାହରୁଖ ନିଜେ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ। ଏହା ଜଣାପଡ଼ିବା ପରେ ଶାହରୁଖ ପ୍ରକୃତ ହିରୋ ବୋଲି ଆଲୋଚନା ହେଉଥିଲା।

ତେବେ ସଲମାନ ଏହା ଜାଣିବା ପରେ ନିଜର ଇନ୍‌ଷ୍ଟାରେ ଶାହରୁଖଙ୍କ ଫିଲ୍ମ ‘ହାପି ନ୍ୟୁ ଇଅର’ର ଏକ ଦୃଶ୍ୟ ଶେୟାର କରିଛନ୍ତି। ଯେଉଁଥିରେ ଶାହରୁଖ ପିନ୍ଧିଥିବା ପୋଷାକରେ ନିଆଁ ଲାଗିବା ସତ୍ତ୍ୱେ ସେ ଏହାକୁ ଭ୍ରୁକ୍ଷେପ କରୁ ନ ଥିବା ଦେଖାଯାଇଛି। ଭିଡିଓରେ ସଲମାନ ନିଜର ମନର କଥା କହିଛନ୍ତି। ପ୍ରକୃତ ହିରୋ ସିଏ, ଯିଏ ନିଆଁରେ କୁଦି, ଲିଭାଇ, ବଞ୍ଚାଇଥାନ୍ତି। ଏହାକୁ ଅନେକେ ପସନ୍ଦ କରୁଥିବା ବେଳେ ଉଭୟଙ୍କ ବନ୍ଧୁତା ଏହିଭଳି ଜାରି ରହୁ ବୋଲି ମତ ପ୍ରକାଶ ପାଉଛି।

 

Share