ଏୟାରଷ୍ଟ୍ରିପ୍‌ ସଂପ୍ରସାରଣ: ଦ୍ୱୀତିୟ ପର୍ଯ୍ୟାୟରେ ୪୨ କୋଟିର ଟେଣ୍ଡର ଆହ୍ବାନ

 

ଜୟପୁର,୧୧ା୧(ଡି.ଏନ୍‌.ଏ.): କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ଉଡାନ ଯୋଜନାରେ ଜୟପୁର ଏୟାରଷ୍ଟ୍ରିପ ସଂପ୍ରସାରଣ କାର୍ଯ୍ୟ ଚାଲିଛି। ଦ୍ୱିତୀୟ ପର୍ଯ୍ୟାୟରେ ଏଥିପାଇଁ ୪୨ କୋଟି ଟଙ୍କାର ଟେଣ୍ଡର ଆହ୍ବାନ କରାଯାଇଛି। ଏନେଇ ଠିକାସଂସ୍ଥା ଟେଣ୍ଡର ଦାଖଲ କରିଥିବା ବେଳେ ଉଠାଣ ସରିବା ପରେ ଚୁକ୍ତି କରାଯାଇ ଏକ ବର୍ଷ ମଧ୍ୟରେ ସମସ୍ତ ନିର୍ମାଣ କାମ ସରିବ ବୋଲି ଜୟପୁର ରାସ୍ତା ଓ ଗୃହ ନିର୍ମାଣ ବିଭାଗ କହିଛି।
ଉଲ୍ଳେଖଯୋଗ୍ୟ, ଉଡାନ ଯୋଜନାର ପ୍ରଥମ ପର୍ଯ୍ୟାୟରେ ଜୟପୁର ଏୟାରଷ୍ଟ୍ରିପ୍‌ ପାଇଁ ୧୬ କୋଟି ଟଙ୍କାର ସଂପ୍ରସାରଣ କାର୍ଯ୍ୟ ଶେଷ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ୫୫ କୋଟି ଟଙ୍କା ମଞ୍ଜୁର ହୋଇଥିଲା। କେବଳ ସିଭିଲ ଓ୍ବାର୍କ ପାଇଁ ୪୨ କୋଟି ଟଙ୍କାର ଟେଣ୍ଡର ଆହ୍ବାନ କରାଯାଇଥିଲା। ଏଥିରେ ୯୦୦ ମିଟର ରନୱେକୁ ବଢ଼ାଇ ଅଧିକ ୪୦୦ ମିଟର ନିର୍ମାଣ କରାଯିବ ା ଏୟାରଷ୍ଟ୍ରିପର ଦକ୍ଷିଣ ଦିଗରେ ଥିବା କୋଲାବ ଉପକେନାଲ ଉପରେ ୨୩୦ ମିଟର ଲମ୍ବ ଓ ୨୦ ମିଟର ଓସାରର ବକ୍ସ ପୋଲ, ପାଚେରି, ଦ୍ୱିତୀୟ ଟର୍ମିନାଲ, ସୁରକ୍ଷାବଳଙ୍କ ପାଇଁ ବାରାକ୍‌, ଗାଡ଼ି ଓ ଅନ୍ୟ ସାମଗ୍ରୀ ମରାମତି ପାଇଁ ୱାର୍କଶପ୍‌ କରାଯିବ। ସେହିପରି ଜାତୀୟ ରାଜପଥରୁ ଏୟାରଷ୍ଟ୍ରିପ ସଂଯୋଗ କରୁଥିବା ରାସ୍ତାକୁ ୫ରୁ ୭ମିଟରକୁ ବଢ଼ାଯିବ। ବର୍ତ୍ତମାନ ଏଠାରେ ୨୮ ସିଟ ବିଶିଷ୍ଟ ବିମାନ ଅବତରଣ କରିବାର ବ୍ୟବସ୍ଥା ରହିଛି। ସମ୍ପ୍ରସାରଣ ଶେଷ ହେଲେ ବଡ଼ ବିମାନ ମଧ୍ୟ ଓହ୍ଲାଇପାରିବ। ୨୨ ତାରିଖରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ଯୁଗ୍ମ ସଚିବ ଉଷା ପାଢ଼ୀ ଏଠାକୁ ଗସ୍ତକରି କାର୍ଯ୍ୟ ସମୀକ୍ଷା କରିବେ ବୋଲି ଜଣାପଡ଼ିଛି।