ଏୟାରଫିଲ୍ଡ ଥାନା ଏଏସ୍‌ଆଇଙ୍କ ନାଁରେ ମାମଲା

ଭୁବନେଶ୍ୱର,୭।୧୨(ବ୍ୟୁରୋ)/ପୁରୁଣା ଭୁବନେଶ୍ୱର(ଡିଏନ୍‌ଏ): ଜଣେ ଠିକାଦାରଙ୍କୁ ଠକିବା ଅଭିଯୋଗରେ ଏୟାରଫିଲ୍ଡ ଥାନାର ଏଏସ୍‌ଆଇ ନବଘନ ସାହୁଙ୍କ ନାମରେ ମାମଲା ରୁଜୁ ହୋଇଛି। ପୋଖରୀପୁଟରେ ରହୁଥିବା ଠିକାଦାର ଅନୁପ କୁମାର ରଥଙ୍କ ଅଭିଯୋଗକ୍ରମେ ଏୟାରଫିଲ୍ଡ ଥାନା ପୋଲିସ ଆଇପିସି ଦଫା ୪୨୦, ୫୦୬, ୨୯୪ ଓ ୩୪୧ ଅନୁଯାୟୀ କେସ୍‌ ନଂ-୨୭୭/୧୯ରେ ଏକ ମାମଲା ରୁଜୁ କରିଛି। ନ୍ୟାୟ ପାଇଁ ଅନୁପ ବରିଷ୍ଠ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ଶେଷରେ ସେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଅଭିଯୋଗର ଗୁରୁତ୍ୱକୁ ଦେଖି ଏୟାରଫିଲ୍ଡ ଥାନା ଅଧିକାରୀଙ୍କୁ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଅଭିଯୋଗ ଅନୁଯାୟୀ, ଅନୁପଙ୍କ ଅଫିସ୍‌ ଏୟାରଫିଲ୍ଡ ଥାନା ଅଞ୍ଚଳରେ ହୋଇଥିବାରୁ ତାଙ୍କର ନବଘନଙ୍କ ସହ ପରିଚିତ ହୋଇଥିଲା। ନବଘନ ପଟିଆରେ ଏକ ଘର ତିଆରି କରିବା ପାଇଁ ଅନୁପଙ୍କୁ କହିଥିଲେ। ୩ ମହଲା ପାଇଁ ୮୦ ଲକ୍ଷ ଟଙ୍କା ଦେବା ଲାଗି ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ଅନୁପ ୨୦୧୮ ନଭେମ୍ବରରେ ଘର ତିଆରି ଆରମ୍ଭ କରିଥିଲେ। ଘର କାମ ପ୍ରଥମ ତାଲା ପର୍ଯ୍ୟନ୍ତ ଯାଇଥିଲା। ହେଲେ ନବଘନ ୧୩ ଲକ୍ଷ ଟଙ୍କା ପ୍ରଥମେ ଦେଇଥିବା ବେଳେ ବାକି ୭ ଲକ୍ଷ ୫୯ ହଜାର ଟଙ୍କା ଆଉ ଦେଇ ନ ଥିଲେ। ଅନୁପ ଟଙ୍କା ମାଗିଲେ ସେ ଦିନ ଗଡ଼ାଇ ଚାଲିଥିଲେ। ଶେଷରେ ତାଙ୍କୁ ମିଛ ମାମଲାରେ ଫସାଇ ଦେବାକୁ ଧମକ ଦେଇଥିଲେ। ଫଳରେ ଅନୁପ ପୋଲିସ କମିଶନରଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗତ ଅଗଷ୍ଟ ୨୬ରେ ଅଭିଯୋଗ କରିଥିଲେ। କମିଶନର ତଦନ୍ତ କରି ଅନୁପଙ୍କୁ ଟଙ୍କା ଦେବାକୁ ନବଘନଙ୍କୁ କହିଥିଲେ। କିନ୍ତୁ ନବଘନ ଟଙ୍କା ଦେଇ ନ ଥିଲେ।