Categories: ଫୁରସତ

ଏହି ସ୍ଥାନକୁ ଭଉଣୀଭାଇଙ୍କୁ ଏକାଠି ଯିବା ମନା

ଉତ୍ତରପ୍ରଦେଶର କଲ୍‌ପିରେ ରହିଛି ୨୧୦ ଫୁଟ୍‌ ଉଚ୍ଚ ‘ଲଙ୍କା ମୀନାର୍‌’। ଏହି ମୀନାର ମଧ୍ୟରେ ରାବଣଙ୍କ ପୂରା ପରିବାରର ଚିତ୍ରଣ କରାଯାଇଛି। ମୀନାରକୁ ନେଇ ରହିଛି ଏକ ରୋଚକ କଥା। କୁହାଯାଏ, ଏହା ଭିତରକୁ ଭାଇଭଉଣୀ ଏକତ୍ର ପ୍ରବେଶ ଉପରେ ନିଷେଧାଦେଶ ଜାରି କରାଯାଇଛି। ଭାବୁଥିବେ ଏଭଳି ନିୟମ ପଛର ରହସ୍ୟ କ’ଣ? ପ୍ରକୃତରେ ମୀନାର ନିର୍ମାଣଶୈଳୀ ଏହି ନିୟମ ପାଳନ ପାଇଁ ବାଧ୍ୟ କରିଛି। ମୀନାରର ତଳୁ ଉପରକୁ ଯିବା ପାଇଁ ହେଲେ ସାତଥର ପରିକ୍ରମା କରିବାକୁ ପଡ଼ିଥାଏ। ଯାହା କେବଳ ସ୍ତ୍ରୀସ୍ବାମୀଙ୍କ ପାଇଁ ଉଦ୍ଦିଷ୍ଟ। ତେଣୁ ଏଠାକୁ ଭାଇଭଉଣୀ ଏକତ୍ର ଆସିପାରନ୍ତି ନାହିଁ। ମୀନାରର ନିର୍ମାଣ ମଥୁରା ପ୍ରସାଦ କରିଥିଲେ, ଯିଏକି ରାମଲୀଳାରେ ସର୍ବଦା ରାବଣଙ୍କ ଚରିତ୍ର ନିର୍ବାହ କରୁଥିଲେ। ରାବଣଙ୍କ ଭୂମିକା କରି କରି ସେ ଏତେମାତ୍ରାରେ ଚରିତ୍ର ଭିତରେ ବୁଡ଼ିଗଲେ ଯେ, ଲଙ୍କା ନିର୍ମାଣ ପାଇଁ ମନ ବଳାଇଲେ। ୧୮୭୫ରେ ମଥୁରା ପ୍ରସାଦ ନିଗମରେ ରାବଣଙ୍କ ସ୍ମୃତିରେ ଏହି ମୀନାର ନିର୍ମାଣ କଲେ। ଶଙ୍ଖ, କଉଡ଼ି ଆଦିରେ ସେ ଏହି ମୀନାର ନିର୍ମାଣ କରିଛନ୍ତି। ଏଥିପାଇଁ ତାଙ୍କୁ ୨୦ବର୍ଷ ସମୟ ଲାଗିଥିଲା। ମୀନାର ମଧ୍ୟରେ ଶହେ ଫୁଟ୍‌ ଲମ୍ବର କୁମ୍ଭକର୍ଣ୍ଣ ଏବଂ ୬୫ ଫୁଟ୍‌ ଲମ୍ବର ମେଘନାଦଙ୍କ ପ୍ରତିମା ରହିଛି। ସେହିପରି ମୀନାର ସମ୍ମୁଖରେ ଭଗବାନ ଚିତ୍ରଗୁପ୍ତ ଏବଂ ଭଗବାନ ଶଙ୍କରଙ୍କ ମୂର୍ତ୍ତି ରହିଛି। ମନ୍ଦିରର ନିର୍ମାଣ ଏଭଳି ଭାବେ କରାଯାଇଛି ଯେ ଭଗବାନ ଶିବଙ୍କୁ ୨୪ ଘଣ୍ଟା ଦର୍ଶନ କରିହେବ।

Share