ଏହି ଯୁବକଙ୍କ ଯୋଗୁ ରାତାରାତି ବଦଳିଗଲା ରାନୁଙ୍କ ଭାଗ୍ୟ

ସୋସିଆଲ ମିଡିଆ ରାତାରାତି କାହାର ନା କାହାର ଭାଗ୍ୟ ବଦଳାଇ ଦେଉଛି। ସଦ୍ୟ ଉଦାହରଣ ହେଉଛନ୍ତି ରାନୁ ମଣ୍ଡଳ। ନିଜର କଣ୍ଠସ୍ବରରେ ରାନୁ ଇଣ୍ଟରନେଟ୍‌ରେ ଫ୍ୟାନ୍‌ଙ୍କ ସଂଖ୍ୟା ବଢ଼ାଇ ଚାଲିଥିବାବେଳେ ତାଙ୍କ ଗୀତ ବଲିଉଡ୍‌ରେ ପହଞ୍ଚିଛି। ହିମେଶ ରେଶମିୟା ମଧ୍ୟ ରାନୁଙ୍କୁ ଗୀତ ଗାଇବାର ସୁଯୋଗ ଦେଇଛନ୍ତି। କିନ୍ତୁ ରାନୁ ଯାହା ଯୋଗୁ ଆଜି ଏତେ ବାଟରେ ପହଞ୍ଚିଛନ୍ତି ହୁଏତ ତାଙ୍କୁ କେହି ଜାଣି ନ ଥିବେ। ସେ ହେଉଛନ୍ତି, ରାଣାଘାଟରେ ରହୁଥିବା ଯୁବ ସଫ୍ଟଓ୍ବେୟାର ଇଞ୍ଜିନିୟର ଅତିନ୍ଦ୍ର ଚକ୍ରବର୍ତ୍ତୀ।

ରାନୁ ପଶ୍ଚିମବଙ୍ଗର ରାଣାଘାଟ ଷ୍ଟେଶନରେ ଗୀତ ଗାଇ ଗୁଜୁରାଣ ମେଣ୍ଟାଉଥିଲେ। କିଛି ଲୋକ ଗୀତ ଶୁଣିବା ପାଇଁ ଠିଆ ହୋଇଯାଉଥିଲେ ତ ଆଉ କିଛି ଅଣଦେଖା କରି ଚାଲିଯାଉଥିଲେ। ରାନୁ କେବଳ ପୁରୁଣା ଗୀତ ଗାଉଥିଲେ। ବିଶେଷକରି ରାନୁ ଲତା ମଙ୍ଗେସକରଙ୍କ ଗୀତ ‘ଏକ୍‌ ପ୍ୟାର୍‌ କା ନଗ୍‌ମା’ ଗାଇ ରାତାରାତି ଷ୍ଟାର ହୋଇଗଲେ। ରାନୁ ଷ୍ଟେଶନରେ ଏହି ଗୀତଟିକୁ ଗାଉଥିବା ସମୟରେ ଅତିନ୍ଦ୍ର ସେଠାରେ ଉପସ୍ଥିତ ଥିଲେ। ସେହି ସମୟରେ ମୋବାଇଲରେ ଗୀତଟିକୁ ରେକର୍ଡିଂ କରି ନିଜର ଫେସ୍‌ବୁକ୍‌ ଆକାଉଣ୍ଟରେ ପୋଷ୍ଟ କରିଦେଇଥିଲେ, ଯେଉଁଥିପାଇଁ ରାନୁ ଆଜି ଏହି ଜାଗାରେ ପହଞ୍ଚିଛନ୍ତି।

ନିକଟରେ ରାନୁ ହିମେଶଙ୍କ ଗୀତ ଷ୍ଟୁଡିଓରେ ଗାଉଥିବା ବେଳେ ଅତିନ୍ଦ୍ର ସେଠାରେ ଉପସ୍ଥିତ ଥିଲେ। ତାଙ୍କର ଏହି ଭିଡିଓଟି ଜଣେ ମହିଳାଙ୍କ ଜୀବନ ବଦଳାଇଦେବ ବୋଲି ସେ ଏବେବି ବିଶ୍ୱାସ କରିପାରୁନାହାନ୍ତି। ରାନୁଙ୍କୁ ସୁଯୋଗ ଦେଇଥିବାରୁ ହିମେଶଙ୍କୁ ଧନ୍ୟବାଦ ଦେଇଛନ୍ତି ଅତିନ୍ଦ୍ର। ଭିଡିଓ ପରେ ଅତିନ୍ଦ୍ର ସବୁବେଳେ ରାନୁଙ୍କ ସହ ଯୋଗାଯୋଗରେ ଅଛନ୍ତି।

Share
Tags: Ranu Mondal