Categories: ଫୁରସତ

ଏହି ମନ୍ଦିରରେ ଦେବୀ ରୂପରେ ପୂଜାପାଆନ୍ତି ମାଛର ହାଡ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭାରତରେ ଏପରି କିଛି ମନ୍ଦିର ଅଛି, ଯାହାର ସ୍ବତନ୍ତ୍ର ପରମ୍ପରା ରହିଛି। ଏହି ମନ୍ଦିରମାନଙ୍କୁ ନେଇ ଅନେକ କିମ୍ବଦନ୍ତୀ ମଧ୍ୟ ରହିଛି। ଆପଣ କ’ଣ ଏପରି ଏକ ମନ୍ଦିର ବିଷୟରେ ଶୁଣିଛନ୍ତି ଯେଉଁଠି ମାଛର ହାଡକୁ ପୂଜା କରାଯାଏ। ତେବେ ଏହା ବିଶ୍ୱାସଯୋଗ୍ୟ ହେଉ ନ ଥିଲେ ମଧ୍ୟ ସତ।
ଗୁଜରାଟର ଡୁଙ୍ଗୁରୀଠାରେ ରହିଛି ଏହି ମନ୍ଦିର। ୩୦୦ ବର୍ଷ ପୁରୁଣା ମନ୍ଦିର ‘ମତ୍ସ୍ୟ ମାତାଜୀ’ ନାମରେ ବେଶ୍‌ ପରିଚିତ। ଏହି ମନ୍ଦିରକୁ ଉକ୍ତ ଗାଁର ମତ୍ସ୍ୟଜୀବୀମାନେ ନିର୍ମାଣ କରିଥିଲେ। ସମୁଦ୍ରକୁ ମାଛଧରି ଯିବା ପୂର୍ବରୁ ମତ୍ସ୍ୟଜୀବୀ ସେହି ମନ୍ଦିରରେ ରହି ମା’ଙ୍କୁ ଦର୍ଶନ କରି କାର୍ଯ୍ୟରେ ବାହାରିଥାନ୍ତି। କୁହାଯାଏ କି ଯଦି କୌଣସି ମତ୍ସ୍ୟଜୀବୀ ମା’ଙ୍କୁ ଦର୍ଶନ ନ କରି ମାଛ ଧରିବାକୁ ଯାଇଥାଏ, ତାଙ୍କ ସହ ଯେକୌଣସି ଦୁର୍ଘଟଣା ହୋଇଥାଏ।
କେବଳ ଏହା ନୁହେଁ ମନ୍ଦିର ନିର୍ମାଣଙ୍କୁ ନେଇ ଏକ ବିରାଟ କିମ୍ବଦନ୍ତୀ ମଧ୍ୟ ରହିଛି। ୩୦୦ ବର୍ଷ ପୂର୍ବେ ସମୁଦ୍ରରୁ ଏକ ବିରାଟ ମାଛ ଆସି କୂଳରେ ଲାଗିବା ନେଇ ଜଣେ ବ୍ୟକ୍ତିଙ୍କୁ ସ୍ବପ୍ନାଦେଶ ହୋଇଥିଲା। ସେ ସ୍ବପ୍ନରେ ମାଛ ରୂପରେ ଜଣେ ଦେବୀଙ୍କୁ ଦର୍ଶନ କରିଥିଲେ। ମାଛ ସେଠାକୁ ଆସିବା ଫଳରେ ତାହାର ମୃତ୍ୟୁ ଘଟିଥିଲା । ବ୍ୟକ୍ତି ଜଣକ ଗାଁ ଲୋକଙ୍କୁ ଏହି କଥା କହିଥିଲେ। ପରେ ଗାଁ ଲୋକେ ସେଠାକୁ ଯାଇ ଏକ ବଡ଼ ତିମି ମାଛ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ଏଣୁ ସ୍ବପ୍ନର ସମ୍ପୂର୍ଣ୍ଣ କଥା ଶୁଣି ମାଛକୁ ଦେବୀ ମା’ ବୋଲି ଭାବି ଲୋକେ ତାଙ୍କ ନାମରେ ଏକ ମନ୍ଦିର ନିର୍ମାଣ କରିଥିଲେ।
ମନ୍ଦିର ନିର୍ମାଣ ପୂର୍ବରୁ ବ୍ୟକ୍ତି ଜଣକ ସେହି ମାଛକୁ ମାଟି ତଳେ ପୋତିଦେଇଥିଲେ। ପରେ ମନ୍ଦିର ନିର୍ମାଣ ହେବା ପରେ ତାହାର ହାଡକୁ ଆଣି ମନ୍ଦିରରେ ରଖି ପୂଜା କରିଥିଲେ। ଲୋକଙ୍କ କହିବା ଅନୁଯାୟୀ ଯେଉଁ ଲୋକ ଏହି କଥାକୁ ବିଶ୍ୱାସ କରି ନ ଥିଲେ ସେମାନଙ୍କୁ ଅନେକ କଷ୍ଟ ଭୋଗିବାକୁ ପଡ଼ିଥିଲା। ଗାଁରେ ରୋଗ ବ୍ୟାପିଥିଲା। ମାତ୍ର ପରେ ମା’ ସ୍ବପ୍ନାଦେଶ ଦେଇଥିବା ବ୍ୟକ୍ତିର କଥାରେ ଲୋକେ ସେହି ମନ୍ଦିରରେ ପୂଜା କରିବା ଫଳରେ ବିପଦ ଟଳି ଯାଇଥିଲା।

Share