ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ କଙ୍ଗନା

ମୁମ୍ବାଇ: କଙ୍ଗନା ରାଣାଓ୍ବତ୍‌ ବର୍ତ୍ତମାନ ପରଦା ପଛରେ ରହି ଫୁଲ୍‌ ଟାଇମ୍‌ କାମ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସେ ତାଙ୍କ ନିର୍ଦ୍ଦେଶନାରେ ରାମ ମନ୍ଦିର ପ୍ରସଙ୍ଗ ଉପରେ ଆଧାରିତ ଏକ ଫିଲ୍ମ ‘ଅପରାଜିତା ଅଯୋଧ୍ୟା’ ନିର୍ମାଣ କରିବାକୁ ଯାଉଛନ୍ତି। ଯାହାକୁ ‘ବାହୁବଳୀ ସିରିଜ୍‌’ ଏବଂ ‘ମଣିକର୍ଣ୍ଣିକା- ଦ- କ୍ୱିନ୍‌ ଅଫ୍‌ ଝାନ୍‌ସୀ’ଙ୍କ ସ୍କ୍ରିପ୍ଟ ଲେଖିଥିବା ଲେଖକ କେ.ଭି ବିଜେନ୍ଦ୍ର ପ୍ରସାଦ ଲେଖିଛନ୍ତି।
ଏହି ଖବରକୁ ନେଇ କଙ୍ଗନା ସ୍ପଷ୍ଟ କରିଛନ୍ତି ଯେ, ଏହି ଫିଲ୍ମର ନିର୍ଦ୍ଦେଶନା ଦେବା ପାଇଁ ମୋର କୌଣସି ଯୋଜନା ନ ଥିଲା। ମୁଁ କେବଳ ଏହି ଫିଲ୍ମ ନିର୍ମାଣ କରିବାକୁ ଚାହୁଁଥିଲି। ନିର୍ଦ୍ଦେଶନା ବିଷୟରେ ଚିନ୍ତା କରିବାକୁ ସେ ସମୟରେ ମୋ’ ପାଖରେ ପର୍ଯ୍ୟାପ୍ତ ସମୟ ନ ଥିଲା। ଯେତେବେଳେ କେ.ଭି ବିଜେନ୍ଦ୍ର ପ୍ରସାଦ ମୋତେ ଫିଲ୍ମର ସ୍କ୍ରିପ୍ଟ ବିଷୟରେ କହିଥିଲେ, ସେତେବେଳେ ଏହି ଫିଲ୍ମକୁ ବଡ଼ ଭାବରେ କରିବା ପାଇଁ ପ୍ରସ୍ତୁତ ହେଉଥିଲେ। କଙ୍ଗନା ଆହୁରି କହିଛନ୍ତି, ମୋର ସହଯୋଗୀମାନେ ମଧ୍ୟ ଚାହୁଁଥିଲେ ମୁଁ ଫିଲ୍ମର ନିର୍ଦ୍ଦେଶନା ଦିଏ ବୋଲି। ତେଣୁ ମୁଁ ଏହାକୁ ଭଲ ବୋଲି ଗ୍ରହଣ କରିନେଲି। ମଣିକର୍ଣ୍ଣିକା ଫିଲ୍ମସ ପ୍ରାଇଭେଟ ଲିମିଟେଡ୍‌ର ବ୍ୟାନରରେ କଙ୍ଗନା ଏହି ଫିଲ୍ମ ନିର୍ମାଣ କରିବାକୁ ଯାଉଛି। ଯାହାକି ଚଳିତବର୍ଷ ପ୍ରତିଷ୍ଠା ହୋଇଥିବା କଙ୍ଗନାଙ୍କର ପ୍ରଡକ୍ସନ୍‌ ହାଉସ ଅଟେ।

Share