ଏହି ପନିପରିବା ଜୀବନ ପାଇଁ ଅମୃତ ତୁଲ୍ୟ…

ବିଭିନ୍ନ ପନି ପରିବାର ରଙ୍ଗ ଭିନ୍ନ ଭିନ୍ନ ରହିଥାଏ। ତେବେ ପନିପରିବାର ଏହି ରଙ୍ଗ କଣିକା ମଣିଷ ଜୀବନ ପାଇଁ ଅମୃତ ତୁଲ୍ୟ ସାବ୍ୟସ୍ତ ହୋଇଥାଏ। ଏ ସମ୍ପର୍କରେ ନେଦରଲାଣ୍ଡର ଲେଇଦେନ୍‌ ବିଶ୍ୱବିଦ୍ୟାଳୟର ମେଡିକାଲ ସାଇନ୍ସ ବିଭାଗର ଗବେଷକ ସେମାନଙ୍କ ଗବେଷଣା ରିପୋର୍ଟରେ ଦର୍ଶାଇଛନ୍ତି। ପାଚିଲା ବିଲାତି ବାଇଗଣ, ତରଭୁଜ, ଡାଳିମ୍ବ, ବିଟ୍‌ ଆଦି ପନିପରିବାରେ ଲାଲ୍‌ ରଙ୍ଗ କଣିକା ଦେଖାଯାଇଥାଏ। ଏଥିରେ ଲିଉଚକାପିନ୍‌ ନାମକ ରୋଗ ପ୍ରତିରୋଧକ ରହିଥାଏ। ବିଟ୍‌ରେ ପିଟାସିୟାନିନ୍‌ ନାମକ ଏକ ରାସାୟନିକ ରହିଥାଏ। ଏହା ରୋଗ ପ୍ରତିରୋଧକ ଭାବେ କାର୍ଯ୍ୟକରେ। ପ୍ରତିଦିନ ବିଲାତି ବାଇଗଣ ବା ଲାଲ କଣିକା ଥିବା ଖାଦ୍ୟ ଖାଇଲେ ପାକସ୍ଥଳୀ, ମୁତ୍ରାଶୟ, ଅନ୍ତନାଳୀ ରୋଗ ହେବାର ଆଶଙ୍କା କମିଥାଏ। ପନିପରିବାରେ ଥିବା ସବୁଜ କଣିକା ବେଶ୍‌ ଉପକାରୀ। ଏହା ଶାଗ, ବନ୍ଧାକୋବି, କାକୁଡ଼ି, କଲରା, ଭେଣ୍ଡି, ଝୁଡ଼ଙ୍ଗ, ପୋଟଳ, ଜହ୍ନି ଆଦିରେ ରହିଥାଏ। ଏଥିରେ ଥିବା କ୍ଲୋରୋଫିଲ କ୍ୟାନସର ପ୍ରତିରୋଧ ଶକ୍ତି ବୃଦ୍ଧି କରିଥାଏ। ହଳଦିଆ କଣିକା ମକା, ବିଭିନ୍ନ ପ୍ରକାର ଡାଲି ଓ ହଳଦୀରେ ଦେଖିବାକୁ ମିଳିଥାଏ। ହଳଦୀରେ ଥିବା କୁରକୁମିନ୍‌ କ୍ୟାନସର ପ୍ରତିରୋଧକ ଭାବେ କାମ କରେ। ଗାଜର, ପାଚିଲା ଆମ୍ବ, କଖାରୁ, ପାଚିଲା ଅମୃତଭଣ୍ଡାରେ ପ୍ରଚୁର ପରିମାଣରେ ନାରଙ୍ଗୀ କଣିକା ଭରି ରହିଥାଏ। ଏହି କଣିକାରେ ଥିବା ବିଟା କ୍ୟାରୋଟିନ୍‌ ଶରୀରରେ ମାତ୍ରାଧିକ କୋଲେଷ୍ଟରଲକୁ କମାଇବାରେ ସାହାଯ୍ୟ କରିଥାଏ।

Share