ଏହି ଦେଶରେ ଛୁରୀରେ ହୋଇଥାଏ ମସାଜ: ଜାଣନ୍ତୁ କ’ଣ ରହିଛି ୨ହଜାର ବର୍ଷ ତଳର ଏହାର ଇତିହାସ

ତାଇପେଇ,୨୨।୬: ଫଳ, ପନିପରିବା ଓ ମାଂସ କାଟିବାରେ ଛୁରୀକୁ ବ୍ୟବହାର କରାଯାଇଥାଏ। କିନ୍ତୁ କେବେ ଶୁଣିଛନ୍ତି କି, ଛୁରୀରେ ମସାଜ କରାଯିବା କଥା। ଶୁଣିବାରେ ଏହା ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ କଥାଟି ସତ। ଏଭଳି ଘଟଣା ଦେଖିବାକୁ ମିଳିଛି ପୂର୍ବ ଏସିଆ ଦେଶର ତାଇଓ୍ବାନରେ। ଯେଉଁଠାରେ ମାସଜ ପାର୍ଲରରେ ଛୁରୀ ସାହାଯ୍ୟରେ ଲୋକଙ୍କ ମସାଜ କରାଯାଉଛି। ଏହାକୁ ‘ଡାଓଲିଆଓ(daoliao)’ କୁହାଯାଏ। ଯାହାକୁ ଚାଇନା ଭାଷାରେ ‘ଛୁରୀ ମସାଜ’ ବା ‘ନାଇଫ୍‌ ଥେରାପି’ ବୋଲି କୁହାଯାଇଥାଏ। ଚାଇନା ଔଷଧି ବିଜ୍ଞାନରେ ଏହା ବେଶ୍‌ ଲୋକପ୍ରିୟ। ସେଠାରେ ଛୁରୀ ସହିତ ମସାଜ କାହିଁ କେତେ କାଳରୁ ଚାଲିଆସିଛି। ଏହା ପ୍ରାୟ ୨ହଜାର ବର୍ଷର ତଳରୁ ଚାଲିଆସିଛି ବୋଲି କୁହାଯାଏ। ପ୍ରାୟ ଏକ ହଜାର ବର୍ଷ ପୂର୍ବେ ତାଙ୍ଗ ବଂଶ ସମୟରେ ଏହି ଥେରାପି ବେଶ୍‌ ବୃଦ୍ଧି ପାଇଥିଲା।

ତେବେ ୧୯୪୦ଦଶକରେ ଚାଇନାର ଗୃହଯୁଦ୍ଧ ସମୟରେ ଛରୀରେ ମସାଜ୍‌ କରିବାର ପରମ୍ପରା ତାଇଓ୍ବାନରେ ପହଞ୍ଚିଥିଲା। ଚାଇନା ଓ ଜାପାନରେ ଆଜି ଏହି ଥେରାପି ଆଉ ଚାଲୁ ନ ଥିବା ବେଳେ ତାଇଓ୍ବାନରେ କିନ୍ତୁ ଏହା ଏବେ ବେଶ୍‌ ଲୋକପ୍ରିୟ ହୋଇପାରିଛି। ତାଇଓ୍ବାନର ରାଜଧାନୀ ତାଇପେଇରେ ଏହି ଥେରାପୀ ଉପରେ ଶିକ୍ଷା ଦେବା ପାଇଁ ଏକ ଶିକ୍ଷାକେନ୍ଦ୍ର ଖୋଲିଛି। ଯାହାର ନାମ ହେଉଛି ‘ଦ ଏନ୍‌ଶିଏଣ୍ଟ ଆର୍ଟ ଅଫ୍‌ ନାଇଫ୍‌ ମସାଜ ଡାଓଲିଆଓ ଆଇ-ଜିଙ୍ଗ୍‌ ଏଜୁକେଶନ ସେଣ୍ଟର’। ତାଇଓ୍ବାନରେ ଏହି ଶିକ୍ଷା କେନ୍ଦ୍ରର ପ୍ରାୟ ୩୬ଟି ଶାଖା କେନ୍ଦ୍ର ଥିବା ଜଣାପଡ଼ିଛି। ଏଠାକୁ ସାରା ବିଶ୍ୱର ଲୋକ ଏହି ଥେରାପୀର ଶିକ୍ଷା ଲାଭ କରିବାକୁ ଆସିଥାନ୍ତି। ଯଥା ଫ୍ରାନ୍ସ, କାନାଡା, ହକଂକଂ ଓ ଜାପାନର ଲୋକମାନେ ଏହାକୁ ଶିଖିବାକୁ ତାଇଓ୍ବାନକୁ ଆସିଥାନ୍ତି। ତେବେ ଛୁରୀ ମସାଜ ଥେରାପି ଦ୍ୱାରା ଲୋକଙ୍କ କ୍ଷତ ଭଲ ହେବା ସହ ଦୀର୍ଘ ଦିନର ଯନ୍ତ୍ରଣା ମଧ୍ୟ ଭଲ ହୋଇଥାଏ ବୋଲି କୁହାଯାଏ। ଏଥିସହ ସୁନିଦ୍ରା ଲାଗି ମଧ୍ୟ ଛୁରୀ ମସାଜ କରାଯାଇଥାଏ। ଯେପରି ଚାଇନା ମେଡିସିନ୍‌ରେ ଆକ୍ୟୁପ୍ରେସର ଥେରାପି କରାଯାଏ ସେହିପରି ଛୁରୀ ଥେରାପିରେ ପ୍ରେଶର ପଏଣ୍ଟକୁ ଟାର୍ଗେଟ କରାଯାଇଥାଏ। ତେବେ ଏହି ଚିକିତ୍ସାରେ କିଛି ନିୟମ ପାଳନ କରିବା ଆବଶ୍ୟକ ରହିଛି। ଯଦି ମସାଜ କରିବା ବ୍ୟକ୍ତିଙ୍କ ମନୋଭାବ ଭଲ ନ ଥାଏ ତେବେ ସେ ଏହି ମସାଜ କରିବା ଆଦୌ ଉଚିତ୍‌ ନୁହଁ। କାରଣ ମସାଜ କରାଯାଉଥିବା ବ୍ୟକ୍ତିଙ୍କ ଉପରେ ଏହା କୁପ୍ରଭାବ ପକାଇଥାଏ। ଛୁରୀ ମସାଜ କରିବା ସମୟରେ ସବୁବେଳେ ସକାରାତ୍ମକ ଭାବନା ରହିବା ଉଚିତ୍‌ ବୋଲି ବିଶ୍ୱାସ ରହିଛି। ଏଥିପାଇଁ ସମସ୍ତଙ୍କୁ ଶୁଦ୍ଧ ଶାକାହାରୀ ଭୋଜନ କରିବାକୁ ପଡ଼ିଥାଏ।

Share