Categories: ଫୁରସତ

ଏହି ତିନି ଦିନ କାମାକ୍ଷା ମନ୍ଦିରରେ ପ୍ରବେଶ କରନ୍ତିନି କେହି…

ଗୌହାଟି ଅନ୍ତର୍ଗତ ନୀଳାଚଳ ପାହାଡ଼ରେ ସ୍ଥିତ ପୀଠରେ ବିରାଜିତ ମା’ କାମାକ୍ଷାଙ୍କୁ ମା’ ସତୀ ମଧ୍ୟ କୁହାଯାଏ। ଏଠାରେ ଦେବୀ ସତୀଙ୍କ ଯୋନି ପଡିଛି ବୋଲି ପୁରାଣରେ ବର୍ଣ୍ଣନା କରାଯାଇଛି। ତେଣୁ ଏଠାରେ ମା’ଙ୍କ ଯୋନି ପୂଜା କରାଯାଏ। ନୀଳାଚଳକୁ ମଧ୍ୟ କାମଗିରି କୁହାଯାଏ। ଶାସ୍ତ୍ର ମତରେ, ସତୀଙ୍କ ଅଙ୍ଗର ୫୧ ଅଂଶବିଶେଷ ଯେଉଁସ୍ଥାନରେ ପଡ଼ିଲା, ସେଠାରେ ଶକ୍ତିପୀଠ ସ୍ଥାପିତ ହେଲା। ଏହି ସମସ୍ତ ଶକ୍ତିପୀଠ ମଧ୍ୟରେ କାମାକ୍ଷା ପୀଠକୁ ସର୍ବଶ୍ରେଷ୍ଠ ବୋଲି କୁହାଯାଇଥାଏ। ମା’ କାମାକ୍ଷା ମନ୍ଦିର ହେଉଛି ଏକ ସିଦ୍ଧ ଶକ୍ତିପୀଠ। ଏଠାରେ ପ୍ରତିବର୍ଷ ଅମ୍ବୁବାଚୀ ମେଳା ଆୟୋଜିତ ହୋଇଥାଏ। ଚଳିତ ବର୍ଷ ଜୁନ୍‌ ୨୨ରୁ ଏଠାରେ ଏହି ମେଳା ଆରମ୍ଭ ହୋଇଛି। ଏହି ସମୟରେ ତିନିଦିନ ପର୍ଯ୍ୟନ୍ତ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ନିଷେଧ ହୋଇଥାଏ। ଚତୁର୍ଥ ଦିନ ମନ୍ଦିର ଦ୍ୱାର ଖୋଲେ ଏବଂ ବିଶେଷ ପୂଜା ପରେ ଭକ୍ତଙ୍କୁ ମା’ଙ୍କୁ ଦର୍ଶନ କରିବାର ସୁଯୋଗ ମିଳେ। କୁହାଯାଏ ଏହି ତିନିଦିନ ମା ରଜସ୍ବଳା ହୋଇଥାନ୍ତି। ଶାରଦୀୟ ଦୁର୍ଗା ପୂଜା ଏଠାରେ ବେଶ୍‌ ଧୂମ୍‌ଧାମରେ ପାଳିତ ହୁଏ। ଷଷ୍ଠୀରୁ ଦଶହରା ପର୍ଯ୍ୟନ୍ତ ଏଠାରେ ସ୍ବତନ୍ତ୍ର ନୀତି ସମ୍ପନ୍ନ ହୋଇଥାଏ। ଦଶମହାବିଦ୍ୟାରେ ବର୍ଣ୍ଣିତ ମା’ଙ୍କର କାଳୀ, ଧୂମାବତୀ, ମାଙ୍ଗତୀ, ବଗଳା, ତାରା, କମଳା, ଭୈରବୀ, ଛିନ୍ନମସ୍ତା, ଭୁବନେଶ୍ୱରୀ ଓ ତ୍ରିପୁରା ସୁନ୍ଦରୀ ପ୍ରଭୃତି ୧୦ଟି ରୂପ ମଧ୍ୟ କାମାକ୍ଷା ମନ୍ଦିର ପରିସରରେ ପୂଜା ପାଆନ୍ତିି।

Share