ଭୁବନେଶ୍ୱର,୧୪ା୫(ସୌମ୍ୟରଞ୍ଜନ ରାଉତ):ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ସକ୍ରିୟ ଲଘୁଚାପ କ୍ଷେତ୍ର ବୁଧବାର ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। କିନ୍ତୁ ଏହା ଅବପାତର ରୂପ ନେବା ସମ୍ଭାବନା କମ୍ ରହିଛି। ଏପଟେ ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁର ଅଗ୍ରଗତି ପାଇଁ ସ୍ଥିତି ଧୀରେ ଧୀରେ ଅନୁକୂଳ ହେଉଛି। ଆସନ୍ତା ୧୬ ତାରିଖ ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ସମେତ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀବାୟୁ ପ୍ରବେଶ କରିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି।
ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଦକ୍ଷିଣ-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ କ୍ଷେତ୍ର ସମାନ ଅଞ୍ଚଳରେ ଏକ ସୁଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ଏହାସହିତ ଘୂର୍ଣ୍ଣିବଳୟ ମଧ୍ୟ ସମୁଦ୍ର ପତ୍ତନଠାରୁ ୫.୮ କିମି ପର୍ଯ୍ୟନ୍ତ ବ୍ୟାପୀ ରହିଛି। ଏହା ପ୍ରଭାବରେ ଏବେ ଦିନ ତାପମାତ୍ରା ବଢୁଛି। ବୁଧବାର ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଥିବା ବେଳେ ଏଠାରେ ପାରଦ ୪୦.୫ ଡିଗ୍ରୀ ଛୁଇଁଥିଲା। ଏହାଛଡ଼ା ଭବାନୀପାଟଣା, ବଲାଙ୍ଗୀର, ସମ୍ବଲପୁରରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଛି। ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଥିବେବେଳେ କଁା ଭଁା କିଛି ସ୍ଥାନରେ କାଳବୈଶାଖୀ ହୋଇଥିଲା। ତେବେ ଆସନ୍ତା ୨ରୁ ୩ ଦିନ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୨ରୁ ୫ ଡିଗ୍ରୀ ବଢ଼ିବା ସହ ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ଜାରି ରହିବ। ଗୁରୁବାର କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲାରେ ୪୦ରୁ ୫୦ କିମି ବେଗରେ ପବନ ସହ ବର୍ଷା ହେବ। ସେହିପରି ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତ୍ସିଂହପୁର, ପୁରୀ, ଢେଙ୍କାନାଳ ଓ ଅନୁଗୋଳ ଜିଲାରେ ୩୦ରୁ ୪୦ କିମି ବେଗରେ ଝଟ୍କା ପବନ ସହ ବର୍ଷା ନେଇ ୟେଲୋ ୱାର୍ନିଂ ଜାରି ହୋଇଛି।
Dharitri – Odisha’s No.1 Odia Daily

