ଏହି ଅଭିନେତାଙ୍କୁ ଲୋକେ ସ୍ବୟଂ ଭଗବାନ ଭାବି କରୁଥିଲେ ପୂଜା

ମୁମ୍ବାଇ: ରାମାନନ୍ଦ ସାଗରଙ୍କ ‘ରାମାୟଣ’ ପୁଣି ଥରେ ଟିଭିରେ ପ୍ରସାରିତ ହେଉଛି। ଏଥିରେ କୁଶ ଭୂମିକାରେ ଅଭିନୟ କରିଥିବା ଅଭିନେତା ମଧ୍ୟ ‘ଶ୍ରୀକୃଷ୍ଣ’ ସିରିଏଲରେ ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରିଥିଲେ। ଏହି ଅଭିନେତାଙ୍କ ନାମ ସ୍ବପ୍ନିଲ୍‌ ଯୋଶୀ। ତାଙ୍କ ଚେହେରା ଏତେ ନିରୀହ ଥିଲା ଯେ, ରାମାନନ୍ଦ ତାଙ୍କୁ ଦେଖି ଏହି ଚରିତ୍ରରେ ଅଭିନୟ କରିବା ପାଇଁ ସୁଯୋଗ ଦେଇଥିଲେ। ୧୯୯୩ରୁ ୧୯୯୬ ପର୍ଯ୍ୟନ୍ତ ‘ଶ୍ରୀକୃଷ୍ଣ’ ସିରିଏଲ୍‌ ଟିଭିରେ ପ୍ରସାରିତ ହୋଇଥିଲା।


ଏକ ସାକ୍ଷାତକାରରେ ସ୍ବପ୍ନିଲ୍‌ କହିଛନ୍ତି, ଯେତେବେଳେ ମୁଁ କଲେଜରେ ପ୍ରଥମ ବର୍ଷରେ ପଢୁଥିଲି ସେତେବେଳେ ମୋର ଜଣେ ପ୍ରଶଂସକ ମୋ’ ନିକଟକୁ ଆସିଥିଲେ। ପରେ ସେ ହଠାତ୍‌ ମୋ’ ପାଦତଳେ ପଡ଼ିଗଲେ। ମୋ’ ପାଦକୁ ଛୁଇଁ ପୁଣି କାନ୍ଦିବାରେ ଲାଗିଲେ। ଏହି ଘଟଣା ମୋ’ ପାଇଁ ବହୁତ ଅଦ୍ଭୁତ ଏବଂ ଅଭୁଲା ଥିଲା। କାରଣ ସେହି ଯୁବକ ଜଣେ ସ୍ମୋକର ଥିଲେ ବୋଲି ତାଙ୍କୁ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଭଗବାନଙ୍କୁ ଭୟ କରୁଥିବାରୁ ସେ ସିଗାରେଟ ଛାଡ଼ିଥିଲେ। କାରଣ ଯେତେବେଳେ ସେ ସିଗାରେଟ ଟାଣୁଥିଲେ, ତାଙ୍କ ସାମ୍ନାରେ ଶ୍ରୀକୃଷ୍ଣଙ୍କ ଛବି ଦେଖାଯାଉଥିଲା। ତା’ ପରଠାରୁ ସେ ସିଗାରେଟ୍‌ ଟାଣିବା ଛାଡ଼ି ଦେଇଥିଲେ। ଖାଲି ଏହି ଯୁବକ ନୁହନ୍ତି, ଅନେକ ପ୍ରଶଂସକ ସେତେବେଳେ ତାଙ୍କୁ ସ୍ବୟଂ ଭଗବାନ ଭାବି ପୂଜା କରୁଥିଲେ।

Share