Categories: ଜାତୀୟ

ଏସ୍‌-୪୦୦ ଚୁକ୍ତିନାମାକୁ ନେଇ ଆମେରିକାକୁ କହିଲେ ଜୟଶଙ୍କର: ରାଷ୍ଟ୍ର ହିତକୁ ଦିଆଯିବ ଗୁରୁତ୍ୱ

ନୂଆଦିଲ୍ଲୀ,୨୬।୬: ରୁଷ ସମେତ ଅନ୍ୟ କେତେକ ଦେଶ ଉପରେ ଆମେରିକା ପ୍ରତିବନ୍ଧକ ଜାରି କରିଥିଲେ ମଧ୍ୟ ଭାରତ ସେହି ଦେଶଗୁଡିକ ସହ ସମ୍ବନ୍ଧ ସ୍ଥାପନ କରିବା କ୍ଷେତ୍ରରେ ରାଷ୍ଟ୍ର ହିତକୁ ପ୍ରାଧାନ୍ୟ ଦିଆଯିବ ବୋଲି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି। ବୁଧବାର ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପାମ୍ପିଓଙ୍କ ସହ ଭାରତ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଭାରତ ରୁଷଠାରୁ ଏସ-୪୦୦ କ୍ଷେପଣାସ୍ତ୍ର ସୁରକ୍ଷା ବ୍ୟବସ୍ଥା ଲାଗି କ୍ରୟ କରୁଥିବା ଜଣାପଡ଼ିଛି। ଏହି ଅବସରରେ ଜୟଶଙ୍କର ଆମେରିକାକୁ ସ୍ପଷ୍ଟ କରିଛନ୍ତି ଯେ ରାଷ୍ଟ୍ର ହିତରେ ଯାହା ଜରୁରୀ ଆମେ ସବୁ କରିବୁ। ଏଥିସହ ସେ କହିଛନ୍ତି, ଭାରତ ଆମେରିକାର ସହଯୋଗୀ ରାଷ୍ଟ୍ର ଏବଂ ଦ୍ୱିପାକ୍ଷିକ ସମ୍ପର୍କ ଏବେ ଏକ ନୂଆ ସୋପାନରେ ପହଞ୍ଚିଛି। ଭାରତର ବିଭିନ୍ନ ରାଷ୍ଟ୍ର ସହ ସୁସମ୍ପର୍କ ରହିଛି। ଆମେ ଆମ ଜାତୀୟ ସ୍ବାର୍ଥକୁ ଗୁରୁତ୍ୱ ଦେବା ସହ ଅନ୍ୟ ରାଷ୍ଟ୍ରର ଜାତୀୟ ସ୍ବାର୍ଥକୁ ସମ୍ମାନ ଜଣାଉଛୁ। ସେହିପରି ଆତଙ୍କବାଦୀ ଦମନରେ ଟ୍ରମ୍ପ ପ୍ରଶାସନ ଭାରତକୁ ଯେଉଁଭଳି ସହଯୋଗ କରିଆସୁଛନ୍ତି ସେଥିପାଇଁ ଜୟଶଙ୍କର ଆମେରିକାକୁ ଧନ୍ୟବାଦ ଜଣାଇଛନ୍ତି।

Share