‘ଏସ୍‌ ଅଫ୍‌ ସ୍ପେସ୍‌’ ସିଜନ୍‌-୨ରେ ପ୍ରକୃତି

ଭୁବନେଶ୍ୱର,୨୭।୮(ବ୍ୟୁରୋ): ଗୋଟିକ ପରେ ଗୋଟିଏ ସଫଳତାର ପାହାଚ ଚଢୁଥିବା ଅଭିନେତ୍ରୀ ପ୍ରକୃତି ମିଶ୍ର ରାଜ୍ୟ ପାଇଁ ଆଉ ଏକ ଗୌରବ ଆଣିଛନ୍ତି। ଜାତୀୟ ଟେଲିଭିଜନ ଚ୍ୟାନେଲ ଏମ୍‌ ଟିଭିରେ ପ୍ରସାରିତ ରିୟଲିଟି ଶୋ’ ‘ଏସ୍‌ ଅଫ୍‌ ସ୍ପେସ୍‌’ ସିଜନ ୨ରେ ପ୍ରଥମ ଓଡ଼ିଆ ଭାବେ ସାମିଲ ହୋଇ ସଫଳତା ପାଇଛନ୍ତି। କଲର୍ସ ଚ୍ୟାନେଲର ‘ବିଗ୍‌ ବସ୍‌’ ଭଳି ଏହି ଶୋ’ ଗତ ୨୪ ତାରିଖଠାରୁ ଏମ୍‌ ଟିଭିରେ ପ୍ରସାରିତ ହେଉଛି। ଏଥିରେ ପ୍ରକୃତିଙ୍କୁ ଜଣେ ଦୃଢ ପ୍ରତିଯୋଗୀଭାବେ ଦେଖିବାକୁ ମିଳିଛି। ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଏହି ଅଭିନେତ୍ରୀ ପୂର୍ବରୁ ହିନ୍ଦୀ ଧାରାବାହିକ ‘ଜୟ କହ୍ନେୟା ଲାଲ୍‌ କି’ ଓ ‘ବିଟ୍ଟି ବିଜ୍‌ନେସ୍‌ ୱାଲି’ରେ ଅଭିନୟ କରି ନିଜ ଚମତ୍କାରିତା ଦେଖାଇଛନ୍ତି।
ଚଳିତବର୍ଷ ଏକ ନୂଆ ଥିମ୍‌କୁ ନେଇ ପ୍ରସାରିିତ ହେଉଥିବା ‘ଏସ୍‌ ଅଫ୍‌ ସ୍ପେସ୍‌’ ସିଜନ ୨କୁ ଏଥର ହୋଷ୍ଟ୍‌ କରୁଛନ୍ତି ବିଗ୍‌ ବସ୍‌ ଫେମ୍‌ ବିକାଶ ଗୁପ୍ତା। ଥିମ୍‌ ଅନୁସାରେ ଏସ୍‌ ଅଫ୍‌ ସ୍ପେସ୍‌ ଗୃହକୁ ‘ହାଭ୍‌’ ଏବଂ ‘ହାଭ୍‌ ନଟ୍‌’ ଭଳି ଦୁଇ ଭାଗରେ ବିଭକ୍ତ କରାଯାଇଛି। ସବୁଠାରୁ ବଡ଼କଥା ହେଲା ଏଥର ଶୋ’ରେ ବିଗ୍‌ ବସ୍‌ ଫେମ୍‌ ତଥା କଣ୍ଠଶିଳ୍ପୀ ଦୀପକ ଠାକୁର, ଅଷ୍ଟ୍ରେଲୀୟ ମଡେଲ୍‌ ଲୁସିଣ୍ଡା ନିକୋଲାସ୍‌, ରୋଡିଜ୍‌ ଫେମ୍‌ ବାସିର୍‌ ଅଲ୍ଲୀ, ଟେଲିଭିଜନ ଅଭିନେତ୍ରୀ କ୍ରିସନ୍‌ ବରେଟୋ, ସୋସିଆଲ୍‌ ମିଡିଆ ସେନ୍ସେସନ୍‌ ତଥା ହିଜାବୀ ବାଇକର୍‌ ରୋଶ୍ନି ମିସ୍‌ବା, ଟିକ୍‌ ଟକ୍‌ ଫେମ୍‌ ଅକ୍ଷୟ କକ୍କରଙ୍କ ଭଳି ପ୍ରତିଯୋଗୀ ଅଛନ୍ତି। ଏହି ଶୋ’ ପ୍ରକୃତିଙ୍କ ପାଇଁ ଏକ ସ୍ବପ୍ନ ଥିବାବେଳେ ତାହା ଏବେ ସତ ହୋଇଥିବା ପ୍ରକୃତି ନିଜ ସୋସିଆଲ ମିଡ଼ିଆରେ ଶେୟାର କରିଛନ୍ତି। ଏପଟେ ପ୍ରକୃତିଙ୍କୁ ବିପୁଳ ମାତ୍ରାରେ ଭୋଟ୍‌ ଦେଇ ଓଡ଼ିଶାବାସୀ ଆଗକୁ ନେବାକୁ ପ୍ରକୃତିଙ୍କ ମା’ ବିଷ୍ରୁପ୍ରିୟା ମିଶ୍ର ଅନୁରୋଧ କରିଛନ୍ତି। ଓଡ଼ିଆ ଫିଲ୍ମ ‘ହେଲୋ ଆର୍ସି’ ପାଇଁ ପ୍ରକୃତି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତି ଓଡ଼ିଶାର ନାମକୁ ଜାତୀୟସ୍ତରରେ ଗୌରବାନ୍ବିତ କରିଥିଲେ। ତେବେ ‘ଏସ୍‌ ଅଫ୍‌ ସ୍ପେସ୍‌’ ଶୋ’ ନିୟମ ଅନୁଯାୟୀ ପ୍ରତିଯୋଗୀମାନେ ଦିଆଯାଇଥିବା ଟାକ୍ସକୁ ପୂରା କରିପାରୁଛନ୍ତି କି ନାହିଁ ଏବଂ ସ୍ବଳ୍ପସ୍ଥାନରେ ନିଜକୁ ସୁରକ୍ଷିତ କରି ରଖିପାରୁଛନ୍ତି ନା ନାହିଁ ତାହା ଆଗାମୀଦିନରେ ଦେଖିବାକୁ ସମସ୍ତଙ୍କର ଉତ୍କଣ୍ଠା ରହିଛି। ‘ଏସ୍‌ ଅଫ୍‌ ସ୍ପେସ୍‌’ ସିଜନ ୨ ପ୍ରତ୍ୟହ ସା ୬ଟାରେ ଏମ୍‌ ଟିଭିରେ ପ୍ରସାରିତ ହେଉଥିବାବେଳେ ଦର୍ଶକ ଏହାକୁ ଭୁଟ୍‌ ଆପ୍‌ରେ ମଧ୍ୟ ଦେଖିପାରିବେ।