ଏସ୍‌ଭିଏମ୍‌ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ଆନ୍ଦୋଳନ

ଜଗତ୍‌ସିଂହପୁର ଅଫିସ୍‌, ୨୫।୧
ସ୍ବାମୀ ବିବେକାନନ୍ଦ ସ୍ମାରକୀ (ଏସ୍‌ଭିଏମ୍‌) ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷ ୨ୟ ସେମିଷ୍ଟର ପରୀକ୍ଷା ଆସନ୍ତା ଏପ୍ରିଲରେ ହେବା କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଫର୍ମ ପୂରଣ ପାଇଁ ମହାବିଦ୍ୟାଳୟ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। କିନ୍ତୁ ବିଗତ ବର୍ଷଗୁଡିକ ଫି’ ତୁଳନାରେ ଚଳିତବର୍ଷ ଅହେତୁକ ବୃଦ୍ଧି କରାଯାଇଥିବା ଅଭିଯୋଗ କରି ଛାତ୍ରୀଛାତ୍ରମାନେ ଶୁକ୍ରବାର ମହାବିଦ୍ୟାଳୟରେ ଆନ୍ଦୋଳନ କରିଥିଲେ। ଅଧ୍ୟକ୍ଷା ନୀତାରାଣୀ କର ଛାତ୍ରୀଛାତ୍ରଙ୍କୁ ବୁଝାଶୁଝା କଲାପରେ ସେମାନେ ଆନ୍ଦୋଳନରୁ ହଟିଥିଲେ। ଅଧ୍ୟକ୍ଷା କର କହିଛନ୍ତି, ୨୦୧୯ ସେପ୍ଟେମ୍ବରରେ ରାଜ୍ୟ ସରକାର ଫି’ ବୃଦ୍ଧି ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ବିଜ୍ଞପ୍ତି ମୁତାବକ ରାଜ୍ୟର ବିଭିନ୍ନ ସ୍ବୟଂଶାସିତ ମହାବିଦ୍ୟାଳୟ ଫର୍ମ ପୂରଣ ଫି’ ବୃଦ୍ଧି କରିଛନ୍ତି। ଏସ୍‌ଭିଏମ୍‌ ସ୍ବୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ୨ୟ ସେମିଷ୍ଟର ଫର୍ମ ପୂରଣ ଫି’ ୧ମ ସେମିଷ୍ଟର ତୁଳନାରେ ବୃଦ୍ଧି ପାଇଛି। ଛାତ୍ରୀଛାତ୍ରମାନେ ଏହା ଜାଣି ନ ଥିବାରୁ ଆନ୍ଦୋଳନକୁ ଓହ୍ଲାଇଥିଲେ ବୋଲି ଅଧ୍ୟକ୍ଷା କହିଛନ୍ତି।
ସୂଚନାଯୋଗ୍ୟ ଯେ, କଲେଜର ୨ୟ ଓ ୩ୟ ବର୍ଷର ଛାତ୍ରୀଛାତ୍ରମାନେ ୧ମ ଓ ୨ୟ ସେମିଷ୍ଟର ଫି’ ବାବଦରେ ୪୫୦ ଟଙ୍କା ଲେଖାଏଁ ଦେଉଥିଲେ। ଚଳିତବର୍ଷ ଏହି ଫି ୮୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ସହିତ ମାସିକ ଟ୍ୟୁଶନ୍‌ ଫି’ ମିଶାଯାଇ ଫର୍ମ ପୂରଣ ପୂର୍ବରୁ ନିଆଯାଉଛି। ତେଣୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।