ଏସ୍‌ଏଚ୍‌ଜିଙ୍କ ଦ୍ୱାରା ଧାନକିଣାକୁ ବିରୋଧ କରି ରାସ୍ତା ଅବରୋଧ : ବିଧାୟକଙ୍କ ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ

ଜୟପୁର,୨୮।୮(ନି.ପ୍ର.): କୋରାପୁଟ ଜିଲା ଜୟପୁର ବ୍ଲକ ଜାମୁଣ୍ଡା ଓ କଙ୍ଗା ପଞ୍ଚାୟତର ଶତାଧିକ ଚାଷୀ ବୁଧବାର ୨୬ନଂ. ଜାତୀୟ ରାଜପଥର କୁମୁଲିପୁଟଠାରେ ରାସ୍ତା ଅବରୋଧ କରିଛନ୍ତି ା ଏସ୍‌ଏଚ୍‌ଜିଙ୍କ ଦ୍ୱାରା ଧାନକିଣାକୁ ବିରୋଧ କରି ଏହି ରାସ୍ତା ଅବରୋଧ ହୋଇଛି।
ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ, ଚଳିତବର୍ଷ ମଣ୍ଡି ଧାନ କ୍ରୟ କରିବା ନିମନ୍ତେ ଲ୍ୟାମ୍ପ୍‌ସ ପରିବର୍ତ୍ତେ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସରକାର ଦାୟିତ୍ୱ ଦେଇଛନ୍ତି ା ଏ ନେଇ ଚାଷୀ ନିୟମିତ ଧାନ ବିକ୍ରୟ ଏବଂ ଟଙ୍କା ଠିକ୍‌ ସମୟରେ ପାଇବା ନିମନ୍ତେ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି। ତେଣୁ ପୂର୍ବପରି ଲ୍ୟାମ୍ପ୍‌ସ ଜରିଆରେ ଧାନ କ୍ରୟ କରିବାକୁ ସେମାନେ ଦାବି କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନ ଥିଲା। ତେଣୁ ସେମାନେ ବାଧ୍ୟହୋଇ ୩ ଘଣ୍ଟା ଧରି ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ବିଧାୟକ ତାରା ପ୍ରସାଦ ବାହିନୀପତି, ଉପଜିଲାପାଳ ଲୋକନାଥ ଦଳବେହେରା ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିଲେ। ଜିଲାପାଳଙ୍କ ସହ ଆଲୋଚନା କରି ଦାବି ପୂରଣ ଲାଗି ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଆନ୍ଦୋଳନରୁ ଓହରିଥିଲେ।