Categories: ଜାତୀୟ

ଏସ୍‌ବିଆଇ ବିରୋଧରେ ଅଦାଲତ ଅବମାନନା

ନୂଆଦିଲ୍ଲୀ,୮।୩(ପି.ଟି.):ସୁପ୍ରିମକୋର୍ଟ ଇଲେକ୍ଟୋରାଲ ବଣ୍ଡ୍‌ ବ୍ୟବସ୍ଥାକୁ ଅସାମ୍ବିଧାନିକ ଏବଂ ତଥ୍ୟ ଜାଣିବା ଅଧିକାରର ଉଲ୍ଲଂଘନ ଦର୍ଶାଇ ଏହାକୁ ରଦ୍ଦ କରିବା ସହ ମାର୍ଚ୍ଚ ୬ ସୁଦ୍ଧା ନିର୍ବାଚନ କମିଶନ(ଇସି)ଙ୍କ ନିକଟରେ ଏହାର ସବିଶେଷ ତଥ୍ୟ ଦାଖଲ କରିବାକୁ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ)କୁ ନିର୍ଦ୍ଦେଶ ଦେଇଥିଲେ। ଦେଶର ସର୍ବବୃହତ୍‌ ବ୍ୟାଙ୍କ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶର ଅବଜ୍ଞା କରି ରାଜନୈତିକ ଦଳଗୁଡ଼ିକୁ ଇଲେକ୍ଟୋରାଲ ବଣ୍ଡ୍‌ରେ ମିଳିଥିବା ଚାନ୍ଦାର ତଥ୍ୟ ଜାଣିଶୁଣି ଇସିଙ୍କ ନିକଟରେ ଦାଖଲ କରି ନାହିଁ। ତେଣୁ ଅଦାଲତ ଅବମାନନା ନେଇ ଏସ୍‌ବିଆଇ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦୁଇଟି ଏନ୍‌ଜିଓ ପକ୍ଷରୁ ସୁପ୍ରିମକୋର୍ଟରେ ପିଟିଶନ ଦାଏର ହୋଇଛି। ଦାତା ଏବଂ ଚାନ୍ଦାର ପରିମାଣ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜନସାଧାରଣ ଯେପରି ଲୋକ ସଭା ନିର୍ବାଚନ ପୂର୍ବରୁ ନ ଜାଣିବେ, ସେଥିପାଇଁ ଏସ୍‌ବିଆଇ ଜାଣିଶୁଣି ଶେଷ ମୁହୂର୍ତ୍ତରେ ସର୍ବୋଚ୍ଚ ଅଦାଲତଙ୍କୁ ସମୟ ମାଗିଥିବା ଏନ୍‌ଜିଓ ପକ୍ଷରୁ ପିଟିଶନରେ ଦର୍ଶାଯାଇଛି। ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମ୍ସ (ଏଡିଆର୍‌) ଏବଂ କମନ୍‌ କଜ୍‌ ପକ୍ଷରୁ ବରଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଗୁରୁବାର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ନିକଟରେ ପିଟିଶନ ଉପସ୍ଥାପନ କରି ଏସ୍‌ବିଆଇ ବିରୋଧରେ ଅଦାଲତ ଅବମାନନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି କହିଥିଲେ। ସମୟ ବଢ଼ାଇବା ପାଇଁ ଏସ୍‌ବିଆଇ କରିଥିବା ଆବେଦନର ଶୁଣାଣି ମାର୍ଚ୍ଚ ୧୧ରେ ହେବାକୁ ଥିବାବେଳେ ଅଦାଲତ ଅବମାନନା ପିଟିଶନର ଶୁଣାଣି ମଧ୍ୟ ସେହିଦିନ ଏକସଙ୍ଗେ କରାଯିବାକୁ ଭୂଷଣ ଅନୁରୋଧ କରିଥିଲେ।ଇ-ମେଲ୍‌ ପଠାଇଲେ ନିର୍ଦ୍ଦେଶ ଦିଆଯିବ ବୋଲି ସିଜେଆଇ କହିଛନ୍ତି।
ସୂଚନାଯୋଗ୍ୟ, ୫ ଜଣିଆ ସାମ୍ବିଧାନିକ ପୀଠ ଫେବୃଆରୀ ୧୫ରେ ଏକ ଐତିହାସିକ ରାୟରେ ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନାକୁ ରଦ୍ଦ କରିବା ସହ ମାର୍ଚ୍ଚ ୬ ସୁଦ୍ଧା ଏହାର ସବିଶେଷ ତଥ୍ୟ ଦେବାକୁ ଏସ୍‌ବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ଏତେ କମ୍‌ ସମୟ ମଧ୍ୟରେ ତଥ୍ୟ ଯୋଗାଇବା ସମ୍ଭବ ନୁହେଁ ବୋଲି ଦର୍ଶାଇ ଜୁନ୍‌ ୩୦ ପର୍ଯ୍ୟନ୍ତ ସମୟ ଦେବାକୁ ଗତ ୪ ତାରିଖରେ ଏସ୍‌ବିଆଇ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଥିଲେ।

Share