ଏସିରେ କରୋନା ବ୍ୟାପିବାର ନାହିଁ ଆଶଙ୍କା: ସେଣ୍ଟ୍ରାଲ୍‌ ଏସିକୁ ସାବଧାନ !

ନୂଆଦିଲ୍ଲୀ,୨୭।୪: ଦେଶରେ କରୋନା ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏବେ ଖରା ଦିନ ବି ଆସିଗଲାଣି। କିନ୍ତୁ ବହୁ ଲୋକ ଗରମରେ ରହୁଥିଲେ ମଧ୍ୟ ଏସି ଲଗାଇବାକୁ ଇଛା କରୁ ନାହାଁନ୍ତି। କାଳେ ଏସି ଦ୍ୱାରା କରୋନା ସଂକ୍ରମଣ ବ୍ୟାପିବ ବୋଲି ସେମାନଙ୍କ ମଧ୍ୟରେ ଆଶଙ୍କା ରହିଛି। ତେବେ ଘରେ ଲଗାଯାଇଥିବା ଏସି ଯୋଗୁ କରୋନା ସଂକ୍ରମଣ ହେବାର ଆଶଙ୍କା ନାହିଁ। ଯଦି କାହାର ଘରେ କରୋନା ସଂକ୍ରମିତ ରହିଥାନ୍ତି, ତାଙ୍କୁ କ୍ୱାରାଣ୍ଟାଇନ୍‌ ରଖାଯିବା ଆବଶ୍ୟକ। ମାତ୍ର ଶପିଂ ମଲ୍‌, ଅଫିସ, ଫିଲ୍ମ ହଲ ଆଦିରେ କରାଯାଇଥିବା ସେଣ୍ଟ୍ରାଲ୍‌ ଏସି ବ୍ୟବସ୍ଥା ପ୍ରତି ଯଥେଷ୍ଟ ସତର୍କତା ଅବଲମ୍ବନ କରାଯିବା ଆବଶ୍ୟକ ବୋଲି ଏକ ରିପୋର୍ଟରେ ଦର୍ଶାଯାଇଛି। ସେଣ୍ଟ୍ରାଲ୍‌ ଏସି ବ୍ୟବସ୍ଥାରେ ଏକାଧିକ ବ୍ୟକ୍ତି ଏସିକୁ ବ୍ୟବହାର କରିଥାନ୍ତି। ଏହାଦ୍ୱାରା ସଂକ୍ରମିତଙ୍କଠାରୁ ସଂକ୍ରମଣ ହେବାର ଆଶଙ୍କା ରହିଥାଏ ବୋଲି ଏସି ଏବଂ ଫ୍ରିଜ୍‌ର ଗୁଣବତ୍ତା ଯାଞ୍ଚ୍‌ କରୁଥିବା ସଂସ୍ଥା ଆଇଶେୟାର ପକ୍ଷରୁ କୁହାଯାଇଛି। ଏସିିର ତାପମାତ୍ରାକୁ ୨୪ରୁ ୩୦ ଡିଗ୍ରୀ ମଧ୍ୟରେ ରଖିବା ଉପରେ ସଂସ୍ଥା ଗୁରୁତ୍ୱାରୋପ କରିଛି। ଏହି ସମୟରେ ଏସି ଚାଲିଥିତ୍ବା ବାୟୁ ମଣ୍ଡଳର ଆଦ୍ରତା ୪୦-୭୦ ପ୍ରତିଶତ ରହିବା ଜରୁରୀ। ଏସି ଚାଲିଥିବା ସମୟରେ ରୁମ୍‌ରେ ଫ୍ୟାନ୍‌ ଲଗାଇବା ଉଚିତ। ଏହା ଫଳରେ ବାୟୁ ଚଳାଚଳ ଯୋଗୁ ତାପମାତ୍ରାରେ ସାମ୍ୟତା ସୃଷ୍ଟି ହୋଇଥାଏ ବୋଲି ଆଇଶେୟାର କହିଛି। ମଝିରେ ମଝିରେ ଝରକା ଖୋଲିବା ମଧ୍ୟ ଆବଶ୍ୟକ। ଏହାଦ୍ୱାରା ବାହାରର ତାଜା ପବନ ଘରେ ପ୍ରବାହିତ ହୋଇପାରିବ। କିଛି ଦିନତଳେ ଚାଇନାରେ ଏକ ରେଷ୍ଟୁରାଣ୍ଟ୍‌ରେ ୯ ଜଣ ଲୋକଙ୍କୁ କରୋନା ସଂକ୍ରମଣ ହୋଇଥିଲା। ସେମାନେ ଏସିରେ ବସିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରେ କେତେକ କରୋନା ପଜିଟିଭ୍‌ ଥିଲେ। ତେଣୁ ଅନ୍ୟମାନଙ୍କୁ କରୋନା ସଂକ୍ରମଣ ହୋଇଥିଲା। ଅପରପକ୍ଷରେ ଘରେ ସୁସ୍ଥ ଲୋକ ଏସି ଲଗାଇଲେ କୌଣସି ଅସୁବିଧା ହେବାର ଆଶଙ୍କା ନାହିଁ ବୋଲି ଆଇଶେୟାର ପକ୍ଷରୁ ସୂଚନା ଦିଆଯାଇଛି।

Share