Categories: ଖେଳ

ଏସିଆ କପ୍‌ରୁ ଭାରତ ଓହରିଲେ, ଆମେ ୨୦୨୧ ଟି୨୦ ବିଶ୍ୱକପ୍‌ରେ ଖେଳିବୁ ନାହିଁ: ପିସିବି

ଲାହୋର,୨୫।୧- ଟି୨୦ ଫର୍ମାଟରେ ହେବାକୁ ଥିବା ଏସିଆ କପ୍‌ ଟୁର୍ନାମେଣ୍ଟ ଆୟୋଜନ ଅଧିକାର ପାକିସ୍ତାନ ଛାଡ଼ିଦେଇଥିବା ରିପୋର୍ଟକୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ କାର୍ଯ୍ୟକାରୀ ଓ୍ବାସିମ ଖାଁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ସେ କହିଛନ୍ତିି, ଯଦି ଭାରତ ଏସିଆ କପ୍‌ ପାଇଁ ପାକିସ୍ତାନ ନ ଆସେ, ଆମେ ୨୦୨୧ ଟି୨୦ ବିଶ୍ୱକପ୍‌ରେ ଅଂଶଗ୍ରହଣ କରିବୁ ନାହିଁ। ଉଲ୍ଲେଖଯୋଗ୍ୟ, ୨୦୨୧ ଟି୨୦ ବିଶ୍ୱକପ୍‌ ଭାରତ ଆୟୋଜନ କରିବ। ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ଏହାର ଦଳ ପାକିସ୍ତାନ ପଠାଇବାକୁ ରାଜି ହେବା ପରେ ପିସିବି ଏସିଆ କପ୍‌ ଆୟୋଜନ ଅଧିକାର ହାତଛଡ଼ା କରିଥିବା ସମ୍ପର୍କିତ କିଛି ରିପୋର୍ଟ ପ୍ରକାଶ ପାଇଥିଲା। ଏହି ବିଶେଷାଧିକାର ଆଇସିସିର ନାହିଁ। କେବଳ ଏସିଆନ କ୍ରିକେଟ କାଉନ୍‌ସିଲ (ଏସିସି) ଏହି ନିଷ୍ପତ୍ତି ନେଇପାରିବ। ଆମେ ଏସିଆ କପ୍‌ ଆୟୋଜନ ପାଇଁ ଦୁଇଟି ଭେନ୍ୟୁକୁ ଗୁରୁତ୍ୱ ଦେଉଛୁ ବୋଲି ଓ୍ବାସିମ କହିଛନ୍ତି। ଗତ ସପ୍ତାହରେ ପାକିସ୍ତାନରେ କ୍ରିକେଟ ନ ଖେଳିବା ନିଷ୍ପତ୍ତିରେ ପରିବର୍ତ୍ତନ କରିବାକୁ ବିସିସିଆଇ ମନା କରିଦେଇଥିଲା। ଏଣୁ ପାକିସ୍ତାନ ଏସିଆ କପ୍‌ ଆୟୋଜନ କରିପାରିବ ନାହିଁ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। ପାକିସ୍ତାନକୁ ଗତବର୍ଷ ଟେଷ୍ଟ କ୍ରିକେଟ ଫେରିଛି। ଗତ ଡିସେମ୍ବରରେ ଶ୍ରୀଲଙ୍କା ଦଳ ପାକିସ୍ତାନରେ ଟେଷ୍ଟ ଖେଳିଥିଲା।

Share