Categories: ବାଣିଜ୍ୟ

ଏସିଆର ୨୦ ପରିବାର ସମ୍ପତ୍ତି;୨୦ ଗରିବ ଦେଶର ସମ୍ପତ୍ତି ସହ ସମାନ

ନୂଆଦିଲ୍ଲୀ, ୪-୯: ଏସିଆର ସବୁଠାରୁ ୨୦ ଅତି ଧନଶାଳୀ ପରିବାର ନିକଟରେ ୪୫୦ ବିଲିୟନ ଡଲାରରୁ ଅଧିକ ସମ୍ପତ୍ତି ରହିଛି। ଏହି ୨୦ ପରିବାରର ସମ୍ପତ୍ତି ଏସିଆର ୨୦ ଗରିବ ଦେଶର ମୋଟ ସମ୍ପତ୍ତି ସହ ସମାନ ବୋଲି ବ୍ଲୂମବର୍ଗ ପକ୍ଷରୁ ପ୍ରକାଶିତ ଏସିଆର ଅତିଧନୀ ପରିବାର ତାଲିକା ରିପୋର୍ଟରେ ପ୍ରକାଶ ପାଇଛି। ତାଲିକାରେ ୩ ଭାରତୀୟ ପରିବାର ସାମିଲ ରହିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ପରିବାର ତାଲିକାର ସବୁଠାରୁ ଆଗରେ ରହିଛନ୍ତି। ଏହି ପରିବାର ନିକଟରେ ମୋଟ ୫୪.୪ ବିଲିୟନ ଡଲାର ସମ୍ପତ୍ତି ରହିଛି। ସାପୋରଜି ପାଲୋନଜି ଏବଂ ହିନ୍ଦୁଜା ଭ୍ରାତା ଏହି ତାଲିକାରେ ସ୍ଥାନୀତ ହୋଇଛନ୍ତି।
ମୁକେଶ ଅମ୍ବାନୀଙ୍କ ପରିବାର ଶକ୍ତି, ଟେଲିକମ୍‌,ରିଟେଲ ଭଳି କ୍ଷେତ୍ରରେ କାରବାର କରୁଛି। ସେହିଭଳି ସପ୍ତମ ସ୍ଥାନରେ ଭାରତୀୟ ଉଦ୍ୟୋଗପତି ପରିବାର ସାପୋରଜି ପାଲୋନଜୀ ରହିଛି। ଏହି ପରିବାର ଇଞ୍ଜିନିୟରିଂ ଏବଂ ନିର୍ମାଣ କ୍ଷେତ୍ର ସହ ଜଡିତ। ସେହିଭଳି ୧୬ତମ ସ୍ଥାନରେ ରହିଥିବା ହିନ୍ଦୁଜା ପରିବାର ଅଟୋମୋଟିଭ ଏବଂ ଅଏଲ ତଥା ଗ୍ୟାସ କ୍ଷେତ୍ରରେ କାର୍ଯ୍ୟ କରୁଛି। ତାଲିକାର ଦ୍ୱିତୀୟ ସ୍ଥାନରେ ହଂକଂର କ୍ୱାକ ପରିବାର ଥିବା ବେଳେ ଏମାନଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୩୮ ବିଲିୟନ ଡଲାର ରହିଛି। ୪ର୍ଥ ସ୍ଥାନରେ ଥିବା ଥାଇଲ୍ୟାଣ୍ଡର ଚେରାବେନୋଣ୍ଟ ପରିବାର ନିକଟରେ ୩୭.୯ ବିଲିୟନ ଡଲାର ସମ୍ପତ୍ତି ଥିବା ବେଳେ ଏହା ଖାଦ୍ୟ, ରିଟେଲ, ଟେଲିକମ୍‌ ଭଳି କ୍ଷେତ୍ର ସହ ଜଡିତ।
ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଆକଳନ ମୁତାବକ ୨୦୧୮ରେ ଏହି ପରିବାରଗୁଡିକ ନିକଟରେ ମୋଟ ସମ୍ପତ୍ତି ବାବଦକୁ ୪୬୮.୫ ଡଲାର ରହିଥିଲା। ଏହା ଏସିଆର ୨୦ ଗରିବ ଦେଶର ମୋଟ ସମ୍ପତ୍ତି ସହ ସମାନ। ଏହି ଦେଶଗୁଡିକର ମୋଟ ଜନସଂଖ୍ୟା ୨୧.୩୬ କୋଟି ଥିବା ବେଳେ ସବୁଠାରୁ ଗରିବ ଦେଶ ଭାବେ ଭୁଟାନ ନିକଟରେ ୨.୬ ବିଲିୟନ ଡଲାର ସମ୍ପତ୍ତି ଥିଲା। ଭାରତ, ଇଣ୍ଡୋନେସିଆ ଏବଂ ଫିଲିଫାଇନ୍ସ ଭଳି ଦେଶଗୁଡିକରେ ସମ୍ପତ୍ତିରେ ବୃହତ୍ତ ପରିମାଣରେ ତାରତମ୍ୟ ରହିଥିବା ବ୍ଲୁମବର୍ଗ ଏହାର ରିପୋର୍ଟରେ ପ୍ରକାଶ କରିଛି।

Share