Categories: ଖେଳ

ଏସିଆନ ଅଲିମ୍ପିକ କ୍ୱାଲିଫାୟର୍ସ: ଫଙ୍ଗାଲ କ୍ୱାର୍ଟର ଫାଇନାଲରେ

ଅମାନ (ଜୋର୍ଡାନ),୭ା୩ (ପି.ଟି.): ଭାରତର ଷ୍ଟାର ବକ୍ସର ଅମିତ ଫଙ୍ଗାଲ (୫୨କେଜି) ଏଠାରେ ଚାଲିଥିବା ଏସିଆନ କ୍ୱାଲିଫାୟର୍ସରେ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଶନିବାର ସେ ମଙ୍ଗୋଲିଆର ଏଙ୍ଖମାନାଦାଖ ଖାର୍‌ଖୁଙ୍କୁ ହରାଇ ଦେଇଛନ୍ତି। ଅଲିମ୍ପିକ ଟିକେଟ ହାସଲ କରିବା ଲାଗି ତାଙ୍କୁ ଆଉ କେବଳ ଗୋଟିଏ ବିଜୟ ଆବଶ୍ୟକ। ଗତବର୍ଷ ପ୍ରଥମ ଭାରତୀୟ ଭାବେ ବିଶ୍ୱ ଚାମ୍ପିୟନଶିପ୍‌ରେ ରୌପ୍ୟ ଜିତିଥିବା ଫଙ୍ଗାଲ ଏଠାରେ ଟପ୍‌ ସିଡ୍‌ ମାନ୍ୟତା ପାଇଛନ୍ତି। ଖାର୍‌ଖୁଙ୍କ ବିପକ୍ଷରେ ସେ ୩-୨ ବିଭାଜିତ ନିଷ୍ପତ୍ତିରେ ବିଜୟୀ ହୋଇଥିଲେ। ଫଙ୍ଗାଲ ବର୍ତ୍ତମାନ ଫିଲିପାଇନ୍ସର କାର୍ଲୋ ପାଲାମଙ୍କୁ ଭେଟିବେ। ଏହି ବକ୍ସରଙ୍କୁ ଫଙ୍ଗାଲ ୨୦୧୮ ଏସିଆନ ଗେମ୍ସ ସେମିଫାଇନାଲ ଏବଂ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ରେ ପରାସ୍ତ କରିଥିଲେ। ବର୍ତ୍ତମାନ ଏସିଆନ ଗେମ୍ସ ଓ ଏସିଆନ ଚାମ୍ପିୟନ ଫଙ୍ଗାଲ ଶନିବାର ପ୍ରଥମ ଦୁଇ ରାଉଣ୍ଡ ଲଢେଇରେ ଆକ୍ରମଣାତ୍ମକ ପ୍ରଦର୍ଶନ ସହ ପ୍ରଧାନ୍ୟ ବିସ୍ତାର କରିଥିଲେ। ମାତ୍ର ଅନ୍ତିମ ୩ ମିନିଟ୍‌ ଲଢେଇରେ ମଙ୍ଗୋଲିଆନ ବକ୍ସର ପ୍ରତ୍ୟାବର୍ତ୍ତନ କରି ଚାପ ସୃଷ୍ଟି କରିଥିଲେ। ଏହି ବିଜୟ ଦ୍ୱାରା ଭାରତୀୟ ବକ୍ସର ଗତ ବର୍ଷ ବିଶ୍ୱ ମିଲିଟାରୀ ଗେମ୍ସ ପରାଜୟର ପ୍ରତିଶୋଧ ନେଇଛନ୍ତି। ଶନିବାର ଅନୁଷ୍ଠିତ ଅନ୍ୟ ଏକ ସଂଘର୍ଷପୂର୍ଣ୍ଣ ପ୍ରି-କ୍ୱାର୍ଟରଫାଇନାଲ ବାଉଟ୍‌ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ବିଜେତା ଗୌରବ ସୋଲାଙ୍କି (୫୭କେଜି) ଟପ୍‌ ସିଡ୍‌ ଉଜ୍‌ବେକିସ୍ତାନର ମିରାଜିଜ୍‌ବେକ୍‌ ମିର୍ଜାଖାଲିଲୋଭଙ୍କଠାରୁ ୧-୪ରେ ହାରିଯାଇଛନ୍ତି।

Share