Categories: ଖେଳ

ଏମ୍‌ସିସି ବିଶ୍ୱ କ୍ରିକେଟ କମିଟିରୁ ଶକିବଙ୍କ ଇସ୍ତଫା

ଲଣ୍ଡନ,୩୦।୧୦(ପି.ଟି.)- ଦୁର୍ନୀତିରେ ଲିପ୍ତ ହେବା ଲାଗି ୩ଥର ବୁକି ଯୋଗାଯୋଗ କରିଥିଲେ ମଧ୍ୟ ରିପୋର୍ଟ ନ କରିବାରୁ ବାଂଲାଦେଶ ଦଳର ଅଧିନାୟକ ଓ ଟପ୍‌ ଅଲ୍‌ରାଉଣ୍ଡର ଶକିବ ଅଲ ହସନଙ୍କୁ ୨ ବର୍ଷ ଲାଗି ବାସନ୍ଦ କରାଯାଇଛି। କ୍ରିକେଟର ନୂଆ ନିୟମ ଲାଗୁ କରୁଥିବା ବିଶ୍ୱ କ୍ରିକେଟ କମିଟି ଏମ୍‌ସିସିରୁ ଶକିବ ଇସ୍ତଫା ଦେଇଛନ୍ତି। ୩୨ ବର୍ଷୀୟ ଅଲ୍‌ରାଉଣ୍ଡର ବାସନ୍ଦାଦେଶ ଯୋଗୁ ଆସନ୍ତା ମାସରେ ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ଟି୨୦, ଟେଷ୍ଟ ସିରିଜ୍‌, ଆଇପିଏଲ ଓ ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବେ। ମେଲବୋର୍ନ କ୍ରିକେଟ କ୍ଲବ (ଏମ୍‌ସିସି) ଶକିବଙ୍କ ଇସ୍ତଫା ସମ୍ପର୍କରେ ସ୍ପଷ୍ଟ କରିଛି। ଆଇସିସି ଦଣ୍ଡବିଧାନକୁ ଶକିବ ଗ୍ରହଣ କରିନେଇଛନ୍ତି। ସେ ୨୦୧୭ ଅକ୍ଟୋବରରେ ଏମ୍‌ସିସିରେ ଯୋଗଦେବା ସହ ସିଡ୍‌ନୀ ଓ ବେଙ୍ଗାଲୁରୁଠାରେ ଅନୁଷ୍ଠିତ ବୈଠକରେ ଯୋଗଦେଇଥିଲେ। ଏମ୍‌ସିସି ବିଶ୍ୱ କ୍ରିକେଟ କମିଟିରେ ବର୍ତ୍ତମାନ ଓ ପୂର୍ବତନ ଅନ୍ତର୍ଜାତୀୟ ଖେଳାଳିଙ୍କ ସହ ଅମ୍ପାୟର ମଧ୍ୟ ରହିଛନ୍ତି। ବର୍ଷକୁ ଦୁଇଥର ଏହାର ବୈଠକ ଆୟୋଜନ ହୁଏ। ଏଥିରେ କ୍ରୀଡ଼ାର ପ୍ରଚଳିତ ନିୟମ ସମ୍ବନ୍ଧରେ ଆଲୋଚନା ହୁଏ। ଏହାର ଆଗାମୀ ବୈଠକ ଶ୍ରୀଲଙ୍କାରେ ୨୦୨୦ ମାର୍ଚ୍ଚରେ ହେବ। କମିଟିରୁ ଶକିବଙ୍କୁ ହରାଇଥିବାରୁ ଆମେ ଦୁଃଖିତ। ଗତ ଦୁଇବର୍ଷ ହେଲା କ୍ରୀଡ଼ା ପ୍ରତି ତାଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଥିଲା। କ୍ରିକେଟର ଖେଳୁଆଡ଼ ମନୋଭାବ ସଂରକ୍ଷକ ହୋଇଥିବାରୁ ଆମେ ତାଙ୍କ ଇସ୍ତଫାକୁ ଗ୍ରହଣ କରୁଛୁ ଓ ଏହା ଉଚିତ ନିଷ୍ପତ୍ତି ଥିବା ବିଶ୍ୱାସ କରୁଛୁ ବୋଲି ଏମ୍‌ସିସି ସଭାପତି ମାଇକ ଗଟିଂ କହିଛନ୍ତି। ବିଶ୍ୱର ନମ୍ବର ଓ୍ବାନ୍‌ ଦିନିକିଆ ଅଲ୍‌ରାଉଣ୍ଡରଙ୍କୁ ଦଳୀୟ ଷ୍ଟ୍ରାଟେଜି ଓ ଗଠନ ନେଇ ୩ଥର ତଥ୍ୟ ମଗାଯାଇଥିଲା। ଭାରତୀୟ ବୁକି ଦୀପକ ଅଗ୍ରଓ୍ବାଲ ଗତବର୍ଷ ଆଇପିଏଲ୍‌ ବେଳେ କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଯୋଗାଯୋଗ କରିଥିଲେ। ସେତେବେଳେ ଶକିବ ସନ୍‌ରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଥିଲେ। ଏହାପରେ ଜିମ୍ବାଓ୍ବେ ଏବଂ ଶ୍ରୀଲଙ୍କାକୁ ନେଇ ୨୦୧୮ ଜାନୁୟାରୀରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ସିରିଜ୍‌ବେଳେ ସନ୍ଦିଗ୍ଧ ବୁକି ଅଗ୍ରଓ୍ବାଲ ଅଲ୍‌ରାଉଣ୍ଡରଙ୍କୁ ଯୋଗାଯୋଗ କରିଥିଲେ। ଉକ୍ତ ସନ୍ଦିଗ୍ଧ ବୁକି ଶକିବଙ୍କୁ ଭେଟିବାକୁ ଇଚ୍ଛା ପ୍ରକଟ କରିଥିଲେ। ହେଲେ ଖେଳାଳି ଜଣକ ରାଜି ହୋଇ ନ ଥିଲେ।

Share