ଏମ୍‌ସିଆଇ ସ୍ଥାନରେ ଜାତୀୟ ମେଡିକାଲ କମିଶନ

ଭୁବନେଶ୍ୱର,୧୮ା୭(ବ୍ୟୁରୋ): କେନ୍ଦ୍ର କ୍ୟାବିନେଟ୍‌ରେ ଜାତୀୟ ମେଡିକାଲ କମିଶନ ବିଲ୍‌ ୨୦୧୯କୁ ବୁଧବାର ଅନୁମୋଦନ ମିଳିଛି। ଏଣିକି ମେଡିକାଲ କାଉନସିଲ ଅଫ୍‌ ଇଣ୍ଡିଆ (ଏମସିଆଇ) ସ୍ଥାନରେ ଜାତୀୟ ମେଡିକାଲ କମିଶନ କାର୍ଯ୍ୟ କରିବ। ସେହିଭଳି ଏହି ବିଲ୍‌ ବର୍ତ୍ତମାନ ପ୍ରଚଳିତ ଇଣ୍ଡିଆନ୍‌ ମେଡିକାଲ କାଉନ୍‌ସିଲ ଆଇନ ୧୯୫୬ର ସ୍ଥାନ ନେବ। ସେହିଭଳି ଡାକ୍ତରୀ ସ୍ନାତକ (ଏମ୍‌ବିବିଏସ୍‌) ପାଠ୍ୟକ୍ରମର ଅନ୍ତିମ ବର୍ଷର ପରୀକ୍ଷା ଜାତୀୟ ପ୍ରସ୍ଥାନ ପରୀକ୍ଷା (ନେକ୍ସଟ) ଭାବେ ପରିଚିତ ହେବ। ଏହା ସ୍ନାତକୋତର ଡାକ୍ତରୀ ପାଠ୍ୟକ୍ରମ ପ୍ରବେଶିକା ପରୀକ୍ଷା ତଥା ବିଦେଶୀ ଡାକ୍ତରୀ ସ୍ନାତକଙ୍କ ପାଇଁ ସ୍କ୍ରିନିଂ ଟେଷ୍ଟ ଭାବେ ବିବେଚିତ ହେବ। ଘରୋଇ ମେଡିକାଲ କଲେଜ ଓ ଏକକ ବିଶ୍ୱବିଦ୍ୟାଳୟର ୫୦% ସିଟ୍‌ରେ ଫି’ ଏବଂ ଅନ୍ୟାନ୍ୟ ଖର୍ଚ୍ଚକୁ ଏହି କମିଶନ ନିୟନ୍ତ୍ରଣ କରିବେ। ଦେଶରେ ଗୋଟିଏ ସାଧାରଣ ମାନକ ଲାଗି ନିଟ୍‌, କମନ କାଉନ୍‌ସେଲିଂ ଏବଂ ନେକ୍ସଟ ଆଦି ଜାତୀୟ ପ୍ରବେଶିକା ପରୀକ୍ଷା ଏମ୍ସ ଭଳି ଜାତୀୟ ଗୁରୁତ୍ୱ ବହନ କରୁଥିବା ସଂସ୍ଥାନରେ ଉପଯୋଗୀ ହେବ।
ଜାତୀୟ ମେଡିକାଲ କମିଶନରେ ୪ଟି ସ୍ବାୟତ୍ତ ପରିଷଦ ରହିବ। ସେଗୁଡ଼ିକ ହେଲା ସ୍ନାତକ ଡାକ୍ତରୀ ଶିକ୍ଷା ବୋର୍ଡ, ସ୍ନାତକୋତ୍ତର ଡାକ୍ତରୀ ଶିକ୍ଷା ବୋର୍ଡ, ମେଡିକାଲ ଆସେସ୍‌ମେଣ୍ଟ ଓ ରେଟିଂ ବୋର୍ଡ ଏବଂ ନୀତି ଓ ମେଡିକାଲ ପଞ୍ଜୀକରଣ ବୋର୍ଡ। ମେଡିକାଲ ଆସେସ୍‌ମେଣ୍ଟ ଓ ରେଟିଂ ବୋର୍ଡ (ଏମ୍‌ଏଆର୍‌ବି) ମେଡିକାଲ କଲେଜଗୁଡ଼ିକର ଅନୁଧ୍ୟାନ କରିବ। ମେଡିକାଲ କଲେଜଗୁଡ଼ିକୁ ର଼୍ୟାଙ୍କ ପ୍ରଦାନ କରିବା ଲାଗି ଏକ ବ୍ୟବସ୍ଥା କରାଯିବ। ଫଳରେ ଡାକ୍ତରୀ ଛାତ୍ରୀଛାତ୍ରମାନେ ନାମଲେଖା ନିମନ୍ତେ ଉପଯୁକ୍ତ ମେଡିକାଲ କଲେଜ ଚୟନ କରିପାରିବେ। ଏସବୁ ପଦକ୍ଷେପ ଦ୍ୱାରା ନାମଲେଖା ପ୍ରକ୍ରିୟାରେ ସ୍ବଚ୍ଛତା ଆସିବ ଏବଂ ନାମଲେଖା ଫି’ ହ୍ରାସ ପାଇବ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍‌ ଅନୁଷ୍ଠିତ ହୋଇଥିଲା।