Categories: ଜାତୀୟ

ଏମ୍‌ପିଙ୍କୁ ୧୫୦ କିଲୋମିଟର ଚାଲିବାକୁ କହିଲେ ମୋଦି

ନୂଆଦିଲ୍ଲୀ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଭାଜପା ଏମ୍‌ପିମାନଙ୍କୁ ନୂଆ ନୂଆ କାମ ଦେଉଛନ୍ତି। ମୋଦି କହିଛନ୍ତି ଗାନ୍ଧୀ ଜୟନ୍ତୀ ଅର୍ଥାତ୍‌ ଅକ୍ଟୋବର ୨ରୁ ପଟେଲ ଜୟନ୍ତୀ ମାନେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ୧୫୦ କିଲୋମିଟର ପଦଯାତ୍ରା କରିବେ। ଏଥିଲାଗି ଅଲଗା ଅଲଗା ଗ୍ରୁପ ଗଠନ କରାଯିବ ଓ ଏମ୍‌ପିମାନେ ପ୍ରତିଦିନ ଏହି ଗ୍ରୁପ ସହ ପଦଯାତ୍ରାରେ ବାହାରିବେ। ଏଥିରେ ଭାଜପା ବିଧାୟକ ଓ କର୍ମୀ ମଧ୍ୟ ସାମିଲ ହେବେ। ପ୍ରତିଦିନ ଅତିକମ୍‌ରେ ୧୫ କିଲୋମିଟର ଅଞ୍ଚଳ ବୁଲିବାକୁ ପଡିବ ବୋଲି ମୋଦି କହିଛନ୍ତି। ଏହାଦ୍ୱାରା ଏମ୍‌ପିମାନେ ବ୍ଲକ ସ୍ତରରେ ପହଞ୍ଚିବା ସହ ଲୋକଙ୍କ ନିକଟତର ହେବେ। ତା’ସହ ଗାନ୍ଧିଜି ଓ ପଟେଲଙ୍କ ବଚାରଧାରାକୁ ନେଇ ଲୋକମାନଙ୍କ ସହ ଖୋଲା ଖୋଲି ଭାବେ କଥା ହେବେ। ଏହାସହ ଶିକ୍ଷାର ପ୍ରଚାର ପ୍ରସାର ଓ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ମଧ୍ୟ କଥା ହେବେ। ଏହାଦ୍ୱାରା ଏମ୍‌ପିଙ୍କ ଉପରେ ଲୋକଙ୍କର ଭରସା ବଢିବ ବୋଲି ମୋଦି କହିଛନ୍ତି। ସୂଚନାଯୋଗ୍ୟ, ଭାଜପାର ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

Share