ଏମ୍‌କେସିଜିରେ ଜଣେ କରୋନା ସନ୍ଦିଗ୍ଧ ଭର୍ତ୍ତି: ଚେନ୍ନାଇରୁ ଫେରିଥିଲେ ଫୁଲବାଣୀ

ବ୍ରହ୍ମପୁର ଅଫିସ ,୨୬।୪ – ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି ) ମେଡିକାଲରେ ବୁଧବାର ଜଣେ ସନ୍ଦିଗ୍ଧ କରୋନା ବ୍ୟକ୍ତି ଭର୍ତ୍ତି ହୋଇଛନ୍ତି। ସେ ଜଣେ ଡ୍ରାଇଭର। ୨ ଦିନ ତଳେ ଟ୍ରକ୍‌ରେ ମାଲ ବୋଝେଇ କରି ସେ ଚେନ୍ନାଇରୁ ଫୁଲବାଣୀ ଫେରିଥିଲେ । ମଙ୍ଗଳବାର ତାଙ୍କର ଦୁର୍ଘଟଣା ଘଟିଥିଲା । ଅପରପକ୍ଷେ ସେ କାଶ ଓ ଜ୍ୱରରେ ଆକ୍ରାନ୍ତ ହୋଇଥିବାରୁ ଏମ୍‌କେସିଜିରେ ତାଙ୍କୁ ବୁଧବାର ସକାଳେ ଭର୍ତ୍ତି କରାଯାଇଥିଲା । ବୁଧବାର ସନ୍ଦିଗ୍ଧଙ୍କ ସ୍ବାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ହୋଇପାରି ନ ଥିବାରୁ ଅସ୍ତ୍ରୋପଚାର ବିଭାଗରେ ତାଙ୍କର ଚିକିତ୍ସା ହୋଇପାରି ନ ଥିଲା। ମଧ୍ୟାହ୍ନରେ ତାଙ୍କର ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ବୋଲି ମେଡିକାଲ ଅଧିକ୍ଷକ ପ୍ରଫେସର ଡ଼.ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି।
ସେହିପରି କରୋନା ମହାମାରୀ ବ୍ୟାପିବା ପରେ ଗଞ୍ଜାମ ଜିଲ୍ଲାରେ ଏଯାବତ ୧୪୪୪ ଜଣଙ୍କ ସ୍ବାବ ନମୁନା ସଂଗ୍ରହ କରାଯାଇ ଭୁବନେଶ୍ୱରସ୍ଥିତ ଆର୍‌ଏମ୍‌ଆର୍‌ସି ଓ ଏମ୍‌କେସିଜିର କରୋନା ପରୀକ୍ଷଣ କେନ୍ଦ୍ରକୁ ପଠାଯାଇଛି। ସେଥିମଧ୍ୟରୁ ୧୦୯୫ ଜଣଙ୍କ ରିପୋର୍ଟ ମିଳିଥିବା ବେଳେ ସମସ୍ତ ରିପୋର୍ଟ ନେଗେଟିଭ ରହିଛି। ବଳକା ନମୁନା ଗୁଡିକର ରିପୋର୍ଟ ଖୁବଶୀଘ୍ର ଆସିଯିବ ବୋଲି ମେଡିକାଲ ସୂତ୍ରରୁ ପ୍ରକାଶ । ଗତ କିଛିଦିନ ମଧ୍ୟରେ ଚେନାଇ ରୁ ୧୩୭ ଜଣ ମସ୍ୟଜୀବୀ ଜଳପଥରେ ଗଞ୍ଜାମ ଆସିଛନ୍ତି । ସେହିପରି ସୁରଟରୁ ମଧ୍ୟ ୩୦୦ରୁ ଊଦ୍ଧର୍‌ବ ବ୍ୟକ୍ତି ଜିଲାକୁ ଫେରିଛନ୍ତି। ଆଗକୁ ଆହୁରି ପ୍ରବାସୀ ଓଡ଼ିଆ ମାନେ ଫେରିବେ । ତେଣୁ ଆଗାମୀ ଦିନରେ ଗଞ୍ଜାମ ଜିଲାରେ ହଜାର ହଜାର ସ୍ବାବ ନମୁନା ସଂଗ୍ରହ କରାଯିବ ବୋଲି ଆକଳନ କରାଯାଉଛି ।